ଭୁବନେଶ୍ବର : କରୋନା ପରବର୍ତ୍ତୀ ପରିସ୍ଥିତିରେ ରାଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଅଣ ଖଣିଜ ଭିତ୍ତିକ ଶିଳ୍ପାୟନ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଗତକାଲି ପର୍ୟ୍ୟଟନ ଶିଳ୍ପ ପରେ ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ବୃହତ ଔଷଧ ପାର୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ସ୍ଥିତ ଟାଟା ସ୍ବତନ୍ତ୍ର ଆର୍ଥିକ ଅଞ୍ଚଳ ବା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ଠାରେ ଏହି ପାର୍କ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି। ଏଥିପାଇଁ ପାଖାପାଖି ୧୫୦୦ କୋଟି ବିନିଯାଗ ଅଟକଳ କରାଯାଇଥିବା ବେଳେ ଏହାଦ୍ବାରା ୫ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି। ବୈଠକରେ ମୁଖ୍ୟଶାସନ ସଚିବ ରାଜ୍ୟରେ ଔଷଧ ପାର୍କର ସମ୍ଭାବନା ଦୃଷ୍ଟିକୁ ବିଚାରକୁ ନେଇ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦେଇଥିଲେ। ପାର୍କ ପ୍ରତିଷ୍ଠା ପ୍ରସ୍ତାବର ରୂପାୟନ ନିମନ୍ତେ ଏକ କାର୍ୟ୍ୟାନ୍ବୟନ ସଂସ୍ଥା ଗଠନ କରିବାକୁ ବି ସେ ନିର୍ଦେଶ ଦେଇଥିଲେ। ଆସନ୍ତା ୧୫ ଦିନରେ ପ୍ରକଳ୍ପ ପ୍ରସ୍ତାବ ଚୂଡାନ୍ତ କରିବାକୁ କୁହାଯାଇଛି। ଗୋପାଳପୁର ସ୍ଥିତ ଟାଟା ଅର୍ଥନୈତିକ ଜୋନ୍ ଠାରେ ଏହି ପାର୍କ ପ୍ରତିଷ୍ଠା ହେଲେ ବନ୍ଦର, ରେଳବାଇ ଓ ଜାତୀୟ ରାଜପଥ ସୁବିଧା ଉପଲବ୍ଧ ହୋଇପାରିବ। ପାର୍କ ପାଇଁ ଯେଉଁ ୧୫୦୦ କୋଟି ଖର୍ଚ୍ଚ ଅଟକଳ କରାଯାଇଛି, ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗ ରହିବ। ପାର୍କର ରୂପାୟନ ନିମନ୍ତେ ଇଡ୍କୋ ଓ ଟାଟା ଏସ୍ଇଜେଡ୍ ମଧ୍ୟରେ ସ୍ପେସାଲ୍ ପରପୋଜ୍ ଭେହିକିଲ୍ (ଏସ୍ପିଭି) ବା ସ୍ବତନ୍ତ୍ର ପ୍ରକଳ୍ପ ବାହକ ଗଠନ କରିବା ପାଇଁ ସ୍ଥିର ହୋଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଚୂଡାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ଲାଗି ମୁଖ୍ୟସଚିବ ନିର୍ଦେଶ ଦେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0