କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ବନ୍ଦ ଖଣିରୁ ବେଧଡ଼କ ଚାଲିଛି ଖଣିଜ ଚୋରି। ଏହି ଖଣି ଚୋରି ରୋକିବା ଏବଂ ଚୋର ଧରିବାରେ ଖଣି ବିଭାଗର ସ୍କ୍ବାଡ଼୍ ଫେଲ୍ ମାରିଛି। ବାରମ୍ବାର ଏହି ଖଣିଜ ଚୋରିକୁ ବନ ବିଭାଗ ଏବଂ ପୁଲିସ ଧରୁଥିବାବେଳେ କୌଣସି ଅଦୃଶ୍ୟ କାରଣ ପାଇଁ ଖଣି ସ୍କ୍ବାଡ ନିରବ ରହୁଛି। ଗତ କିଛିଦିନ ତଳେ ଦୁଇଥର ବନ ବିଭାଗ ପକ୍ଷରୁ ଚୋରା ମାଙ୍ଗାନିଜ ଜବତ ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ପୁଲିସ ତିନୋଟି ଟ୍ରକ ଭର୍ତ୍ତି ଚୋରା ଲୁହାପଥର ଏବଂ ମାଙ୍ଗାନିଜ ଜବତ କରି ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ, ଚୋରା ଖଣିଜ ବୋଝେଇ ଗାଡି ଯାଉଥିବା ଖବରପାଇ ବଡ଼ବିଲ ପୁଲିସର ଏକ ଟିମ ବଲାଣି ସଂରକ୍ଷିତ ଜଙ୍ଗଲର ଡୁମୁର୍ତ୍ତାଠାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଲୁହାପଥର ଓ ମାଙ୍ଗାନିଜ ବୋଝେଇ ହୋଇଥିବା ତିନୋଟି ହାଇୱା ଜବତ କରିଥିଲେ। ଜବତ ଖଣିଜ ମଧ୍ୟରେ ୭୦ ମେଟ୍ରିକ ଟନ ଲୁହପଥର ଓ ୨୫ ମେଟ୍ରିକ ଟନ ମାଙ୍ଗନିଜ ରହିଛି। ଜବତ ଖଣିଜ ଦ୍ରବ୍ୟର ଆନୁମାନିକ ମୂଲ୍ୟ ସାଢ଼େ ୫ ଲକ୍ଷ ବୋଲି ଜଣାଯାଇଛି। ଜବତ ଗାଡି ମଧ୍ୟରେ ଦୁଇଟି ପଶ୍ଚିମବଙ୍ଗର ହୋଇଥିବାବେଳେ ଆଉ ଗୋଟିଏ ନାଗାଲାଣ୍ଡର ବୋଲି ଜଣାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ଦୁଇ ଗାଡିଚାଳକ ଓ ୪ ଜଣ ଖଣି ମାଫିଆ ଥିବା ଜଣାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0