ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ବିଡମ୍ବନାର ବିଷୟ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ଚନ୍ଦ୍ର-ସୂର୍ଯ୍ୟକୁ ସଂଗ୍ରହାଳୟକୁ ନିଆ ନଯାଇ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଛି । ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଶନିବାର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନାଗାର୍ଜୁନ ବେଶରେ ବ୍ୟବହୃତ ଚନ୍ଦ୍ର-ସୂର୍ଯ୍ୟ ନେଉଥିବାର ଦେଖିବାକୁ ମିଳିଥିଲା । କାହା ନିର୍ଦ୍ଦେଶରେ ଏହି ଚନ୍ଦ୍ର-ସୂର୍ଯ୍ୟ ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।
ପୂର୍ବରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଓଲାଗି ପରେ ଏହାକୁ ସଂରକ୍ଷିତ କରି ରଖାଯିବା ନେଇ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଏହାକୁ ସାଧାରଣ ଭକ୍ତ ଦେଖିପାରିନାହାନ୍ତି । କିନ୍ତୁ ବେଶରେ ବ୍ୟବହୃତ ଚନ୍ଦ୍ର-ସୂର୍ଯ୍ୟ ସମେତ ଅନ୍ୟ ସାମଗ୍ରୀ ସଂଗ୍ରହାଳୟରେ ରଖାଯାଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହାକୁ ଦେଖିବାର ସୁଯୋଗ ପାଇଥାନ୍ତେ । ତେବେ ଶୁକ୍ରବାର ଏହି ବେଶ ସରିବା କ୍ଷଣି ଶନିବାର ଏଭଳି ବେଶ ଶ୍ରୀମନ୍ଦିର ବାହାରକୁ ଆସିବା ଘଟଣା ନିନ୍ଦନୀୟ ଏବଂ ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ ସେବାୟତ ଓ ନୀତି ପ୍ରଶାସକ କହିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0