spot_img

ଫେବ୍ରୁଆରୀରୁ ନୂଆ ରୂପରେ ‘ମୋ ସାଇକେଲ୍‌’ 

ଭୁବନେଶ୍ୱର : ‘ମୋ ସାଇକେଲ୍’କୁ ନୂଆ ରୂପ ଦେବା ଲାଗି ଖୁବ୍‌ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ଏଭଳି ପଦକ୍ଷେପ ନେବେ । ସ୍ମାର୍ଟସିଟିର ସିଇଓ ତଥା ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍‌ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଫେବ୍ରୁଆରିଠାରୁ ଏହି ସୁବିଧାର ଉପଯୋଗ ହୋଇପାରିବ। ଫଳରେ କେବଳ ଗୋଟିଏ ଆପ୍‌କୁ ବ୍ୟବହାର କରି ଚାଳକମାନେ ୩ଟି କମ୍ପାନିର ସାଇକେଲ୍‌ ଚଢ଼ି ପାରିବେ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି)ରୁ ‘ମୋ ସାଇକେଲ୍’ ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍‌ସିଏଲ୍ ଓ ବିଏମ୍‌ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡିପୋରେ ଥିବା ସାଇକେଲ୍‌କୁ ସର୍ଭେ କରାଯାଇଛି ।

ବର୍ତମାନ ସମୁଦାୟ ୨ ହଜାର ସାଇକେଲ୍‌ରୁ ୧୬୦୦ଟି କାର୍ଯ୍ୟକାରୀ ଅବସ୍ଥାରେ ରହିଛି । ବାକି ୪୦୦ଟି ସାଇକେଲ୍‌ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ପବ୍ଲିକ୍ ବାଇ ସାଇକେଲ୍ ସେୟାରିଂ ବା ପିବିଏସ୍‌କୁ ଅଧିକ ଲୋକାଭିମୁଖୀ କରାଯିବ। ପଦକ୍ଷେପସ୍ୱରୂପ, ୨ଟି ମୁଖ୍ୟ ସାଇକେଲ୍ ଟ୍ରାକ୍‌ରେ ପିବିଏସ୍‌ର ଉନ୍ନତି ଘଟାଇବା, ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକରୁ ଇନ୍‌ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକ୍‌ର ଉନ୍ନତି କରିବା ଏବଂ ଏହି ଟ୍ରାକ୍‌ରେ ଅଧିକରୁ ଅଧିକ ସାଇକେଲ୍‌ର ବ୍ୟବହାର କରାଇବା; ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular