spot_img

କୋଭିଡ଼ ମୁକାବିଲା ପାଇଁ ପିଏମ କେୟାର ଫଣ୍ଡକୁ ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ ମୋଦୀ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବା ପାଇଁ ପିଏମ କେଆର୍ସ ଫଣ୍ଡ ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୂଳ ପୁଞ୍ଜି ଭାବେ କେତେ ଟଙ୍କା ଦାନ ଦେଇଥିଲେ, ତାହା ସାମ୍ନାକୁ ଆସିଛି। ପ୍ରକାଶ ପାଇଛି ଯେ, ଭାରତରେ କୋଭିଡ -୧୯ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨.୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଏମ କେୟାର ଫଣ୍ଡ ଅଡିଟ୍ ରିପୋର୍ଟ ସାର୍ବଜନୀନ ହେବାପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ମାର୍ଚ୍ଚ ୨୭ରେ ପ୍ରତିଷ୍ଠା ହୋଇଥିବା ପିଏମ କେୟାର ଫଣ୍ଡକୁ ମାତ୍ର ପାଞ୍ଚ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଆସିଥିଲା । ଏଥିରେ ମୋଦୀ ଦାନ କରିଥିବା ଟଙ୍କା ମିଶା ଯାଇନଥିବା ଜଣାପଡ଼ିଛି । ଖବର ସାମ୍ନାକୁ ଆସିବା ପରେ ବିଜେପିର ବହୁ ନେତା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ତେବେ ମୋଦୀଙ୍କର ଏହି ଦାନ ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି । ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ସେଠାକାର ସରକାରୀ କର୍ମଚାରୀଙ୍କ ଝିଅମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ନିଜ ସଞ୍ଚୟରୁ ପ୍ରାୟ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ । ଏହା ପୂର୍ବରୁ ମୋଦୀ ତାଙ୍କୁ ମିଳିଥିବା ଉପହାରର ନିଲାମି ଆରମ୍ଭ କରିଥିଲେ । ସୁରଟରେ ହୋଇଥିବା ଏହି ନିଲାମିରୁ ସଂଗୃହିତ ପ୍ରାୟ ୮.୩୫ କୋଟି ଟଙ୍କା ସେ ‘ନମାମି ଗଙ୍ଗେ ମିଶନ’କୁ ଦାନ କରିଥିଲେ । ନିକଟରେ ତାଙ୍କ ପାଖରେ ଥିବା ସ୍ମୃତିଚିହ୍ନକୁ ନିଲାମ କରି ସେଥିରୁ ମିଳିଥିବା ୩.୪୦ କୋଟି ଟଙ୍କାକୁ ମଧ୍ୟ ‘ନମାମି ଗଙ୍ଗେ ମିଶନ’କୁ ଦାନ କରିଥିଲେ । ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ପୁରସ୍କାର ପାଇବା ପରେ ସେ ପୁରସ୍କାର ରାଶିକୁ ଦାନ କରିବାକୁ ଘୋଷଣା କରିଥିଲେ । ସେଥିରୁ ମିଳିଥିବା ୧.୩ କୋଟି ଟଙ୍କାକୁ ସେ ଗଙ୍ଗା ନଦୀ ପରିଷ୍କାର ପାଇଁ ଦାନ କରିଥିଲେ । ୨୦୧୯ରେ କୁମ୍ଭମେଳାର ପରିମଳ କର୍ମଚାରୀଙ୍କ ପାଇଁ ନିଜ ସଞ୍ଚୟରୁ ପ୍ରାୟ ୨୧ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ । ଏଯାବତ୍ ମୋଟ ୧୦୩ କୋଟି ଟଙ୍କା ସେ ଦାନ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular