ନାଇଜେରିଆ: ୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା,୬ ଗୁରୁତ୍ୱର । ନାଇଜେରିଆରେ ଘଟିଛି ଏଭଳି ନରସଂହାର ଘଟଣା। ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି। ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏଭଳି ଘଟଣା ପୂରା ଦେଶକୁ ଆଘାତ ଦେଇଛି। ୪୩ ମୃତଦେହ ମିଳିଛି ଏବଂ ସମସ୍ତଙ୍କ ଗଳା କଟାଯାଇଛି। ବୋକୋ ହରାମ୍ ହିଁ ଏଭଳି କାମ କରିଛନ୍ତି, ଯେଉଁମାନେ ଏହି ଅଞ୍ଚଳରେ ଖୁବ୍ ସକ୍ରିୟ। ତେବେ ସେମାନେ ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ କରିସାରିଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତେ ସୋକୋଟୋ ରାଜ୍ୟର ଶ୍ରମିକ ଥିଲେ। ଏମାନେ ଉତ୍ତରପୂର୍ବରେ କାମ ସନ୍ଧାନରେ ଯାଇଥିଲେ। ମୋଟ ୬୦ଜଣ ଚାଉଳ ଚାଷ ଜମିରେ କାମ କରୁଥିଲେ। ସେଥିରୁ ୪୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଏବେବି ୮ଜଣ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ୨୦୦୯ ପରଠାରୁ ପାଖାପାଖି ୩୬ହଜାର ଲୋକଙ୍କର ଜିହାଦ ବିବାଦ କାରଣରୁ ମୃତ୍ୟୁ ହୋଇଥିବା ବେଳେ ୨୦ଲକ୍ଷରୁ ଅଧିକ ବିସ୍ତାପିତ ହୋଇଛନ୍ତି। ତେବେ
ଏହି ଭୟାବହ ଆକ୍ରମଣରୁ ବର୍ତ୍ତିଯାଇଥିବା ଲୋକଙ୍କୁ ସହାୟତା କରିଥିବା ମିଲିସିଆର ନେତା ବାବାକୁରା କୋଲୋ କହିଛନ୍ତି, ଶ୍ରମିକଙ୍କୁ ପ୍ରଥମେ ରଶିରେ ବନ୍ଧା ଯାଇଥିଲା ଏବଂ ଏହା ପରେ ଅତି ନିଷ୍ଠୁର ଭାବେ ସେମାନଙ୍କର ଗଳା କାଟିଦିଆ ଯାଇଥିଲା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0