ଭୁବନେଶ୍ୱର(ଚନ୍ଦନ ପଣ୍ଡା): ପୁରୀ ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ସ୍ମାରକୀ ପ୍ରାଧିକରଣ ଜାରି କରିଛି ଚିଠା ଐତିହ୍ୟ ଉପବିଧି । ଏହି ଚିଠା ଉପବିଧି ଅନୁସାରେ ଶ୍ରୀମନ୍ଦିର ଚାରିପଟରେ ନିର୍ମାଣ ଉପରେ କଟକଣା ଲଗାଯାଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ ଏ ନେଇ କିଛି ଦିନ ପୂର୍ବରୁ ଚିଠା ଉପବିଧି ପ୍ରକାଶ କରିଥିଲା । ଚିଠା ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ଉଭୟ ସରକାରୀ କିମ୍ବା ବେସରକାରୀ ନିର୍ମାଣକୁ ବାରଣ କରାଯିବ ବୋଲି ଚିଠିରେ ଉଲେଖ କରିଥିଲେ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ । ସବୁ ଜିନିଷର ଦୁଇଟି ଦିଗ ଭଳି ସକାରତ୍ମକ ଓ ନକରାତ୍ମକ ଶୈଳୀରେ ଏହାକୁ ଚିନ୍ତା କଲେ ବିଭିନ୍ନ କଥା ଆସିବ | ଯାହା ଆଲୋଚନା ପରିସର ଭୁକ୍ତ | କିନ୍ତୁ କଥା ଉଠୁଛି ଏହାକୁ ନେଇ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଭିତରେ ପ୍ରସ୍ତାବିତ ନିୟମ ପ୍ରତ୍ୟାହାର ପାଇଁ ଯେଭଳି ଢଙ୍ଗରେ ପ୍ରତିଯୋଗିତା ଚାଲିଲା ତାହା ଏବେ ସବୁଠି ଚର୍ଚ୍ଚାର ଖୋରାକ ଯୋଗାଉଛି | କାରଣ ଏହି ଉପନିୟମ କୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ବିରୋଧ ଆରମ୍ଭ ହୋଇଗଲା । କିଏ ଏହାକୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ଷଡ଼୍ଯନ୍ତ୍ର ବୋଲି ବର୍ଣ୍ଣନା କରିଥିବା ବେଳେ ଆଉ କିଏ କେନ୍ଦ୍ର ସରକାରଙ୍କୁ କଳାପାହାଡ଼ ବୋଲି ଚିତ୍ରଣ କରିଥିଲେ । ପୁରୀରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗୋଟିଏ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ମଧ୍ୟ ଚେତାଇ ଦେଇଥିଲେ | ଏହା ବିରୋଧରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନିଜସ୍ୱ ଢଙ୍ଗରେ ବିରୋଧ କରିବା ଆରମ୍ଭ କରିଦେଲେ |ସ୍ଥିତି ଏଭଳି ହେଲା ଯେପରି ନିଷ୍ପତ୍ତିର ପୁନର୍ବିଚାର ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ | ସେବାୟତ ଙ୍କ ଠାରୁ ସଚିବ ଯାଏଁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲା ଏହି ଉପନିୟମ | ଯାହାଫଳରେ ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଜାରି କରିଥିବା ପ୍ରସ୍ତାବିତ ଐତିହ କୀର୍ତ୍ତିରାଜି ଉପନିୟମ ପ୍ରତ୍ୟାହର ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର । ଭଗବାନ, ଭକ୍ତ ଓ ସେବାୟତଙ୍କ ସ୍ବର୍ଥକୁ ଦୃଷ୍ଟିରେ ରଖି ପ୍ରତ୍ୟାହର ପାଇଁ କେନ୍ଦ୍ର ଐତିହ୍ୟ ପ୍ରଧିକରଣ ଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ । ଚିଠିରେ କୁହାଯାଇଛି ଯେ ପ୍ରସ୍ତାବିତ ଏହି ଐତିହ୍ୟ ଉପନିୟମ ଦ୍ବାରା କେବଳ ଯେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଅଟକିଯିବ ତା’ ନୁହେଁ, ଶ୍ରୀମନ୍ଦିର ଚାରିପାଖରେ ବସବାସ କରୁଥିବା ଅନେକ ସେବାୟତ ପରିବାର ପ୍ରଭାବିତ ହେବେ । ସେବାୟତମାନେ ପ୍ରଭାବିତ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ବି ଅଟକିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ । ଏହା ଲାଗୁ କରିବା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତଙ୍କ ସହ ଆଲୋଚନାର ଆବଶ୍ୟକତା ରହିଥିଲା | ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ | ପ୍ରତ୍ୟାହାର ନହଲେ ଶ୍ରୀମନ୍ଦିର ଉପରେ ଏହାର ପ୍ରଭାବ ପଡ଼ିବ, ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ । କାରଣ ୩୦୦ ମିଟର ଅଞ୍ଚଳ ମଧ୍ୟରୁ ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଏବଂ ପରବର୍ତ୍ତୀ ୨୦୦ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ବୋଲି ପ୍ରସ୍ତାବିତ ନିୟମରେ ଥିଲା |
ଯାହାଫଳରେ ନିକଟରେ ରହୁଥିବା ସେବାୟତ ପରିବାର ମାନେ ବିସ୍ଥାପିତ ହେବେ | କିନ୍ତୁ ଗତକାଲି କଡା ବିରୋଧ ପରେ ଉପନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ପ୍ରତ୍ୟାହାର ଲାଗି ଉଭୟ ବିଜେଡି-ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରିଥିବା ପରିପ୍ରେକ୍ଷୀରେ କାହାକୁ ଶ୍ରେୟ ଯିବ ? ଏହି ପ୍ରସଙ୍ଗ ରେ ବିଜେପି ଓ ବିଜେଡି ଉଭୟେ କେହିକାହାକୁ ଆଗକୁ ଛାଡିବାକୁ ନାରାଜ |ସୂଚନାଯୋଗ୍ୟ ଏହି ପ୍ରସଙ୍ଗ ଯେତେବେଳେ ଅଧିକ ଜଟିଳ ରୂପ ଧାରଣ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ପୁରୀ ଯାଇ ଶ୍ରୀମନ୍ଦିର ସାମ୍ନାରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଡ଼ା ପ୍ରତିକ୍ରିୟା ଦେଇଥିଲେ | ପରେ ପରେ ଦିଲ୍ଲୀରେ ବିଜେପି ଓ ବିଜେଡି ଅଲଗା ଅଲଗା ଦାବି ଜଣାଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ବିଜେପିର ୩ ସାଂସଦ ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ ଓ ଅଶ୍ବିନୀ ବୈଷ୍ଣବ ତଥା ରାଜ୍ୟସଭାର ଦୁଇଜଣ ମନୋନୀତ ସାଂସଦ ସୋନାଲ ମାନସିଂହ ଓ ରଘୁନାଥ ମହାପାତ୍ର ମନ୍ତ୍ରୀ ଶ୍ରୀ ପଟେଲ୍ଙ୍କୁ ସାକ୍ଷାତ କରି ଅଧିନିୟମକୁ କୁ ସ୍ଥଗିତ ରଖିବା ପାଇଁ ଦାବି ରଖିଥିଲେ ଏବଂ ବିଜେଡି ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବ,ପିନାକୀ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି, ମଞ୍ଜୁଲତା ମଣ୍ଡଳ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଜିତ୍ କୁମାର, ମୁନା ଖାଁ ପ୍ରମୁଖ ସାମିଲ ହୋଇ ଦାବି ଜଣାଇଥିଲେ । ସେ ଯାହାବି ହେଉ ଶେଷରେ ଏହି ନିୟନ ପ୍ରତ୍ୟାହାର ହୋଇଛି ଏହା ଅସ୍ବସ୍ତି ପ୍ରଦାନ କରୁଥିବା ବେଳେ, ରାଜନୈତିକ ମହଲ କିନ୍ତୁ ଏହି ପ୍ରସଙ୍ଗଟିକୁ ଭିନ୍ନ ଦୃଷ୍ଟିରୁ ବିଚାର କରୁଛନ୍ତି । କାହିଁକି ଓ କାହା ନିର୍ଦେଶରେ ଏହି ବିବାଦୀୟ ଅଧିନିୟମ ପ୍ରସ୍ତୁତ କରାଗଲା ଓ ବିରୋଧ ପରେ କେନ୍ଦ୍ର ସରକାର ଅବିଳମ୍ବେ ପ୍ରତ୍ୟାହାର କରିନେଲେ | କାହା ଇସାରାରେ ହଠାତ୍ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା ? ତେବେ ଏସବୁ ଭିତରେ ବିଜେଡି ବିଜେପି ଟଣାଓଟରା ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି | ବିଜେଡି ଦାବି କରୁଛି ଯେ ସେମାନେ ଆଗ ଦାବି କଲାପରେ ପଦକ୍ଷେପ ନିଆଯାଇଛି | ବିଜେପି ମଧ୍ୟ ସେହି ସମାନ ଦାବି ରଖୁଛି ଯାହା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି |ତେବେ ଆମେ ଆମେ ଏଠାରେ ଗୋଟିଏ କଥା କହିବୁ ରାଜନୀତି ପ୍ରସଙ୍ଗ ମୂଳକ ହେଉ | କୋଟି ଓଡ଼ିଆର ମଉଡମଣୀ ଅରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି ନହେଉ | ସାଧାରଣ ଭାବେ ଓଡ଼ିଆଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଆଗେଇ ଆସନ୍ତୁ | ରାଜନୀତିର ନିକିତିରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ତଉଲିବାର ପ୍ରଚେଷ୍ଟାରୁ ନିବୃତ ରୁହନ୍ତୁ | ରାଜିନୀତିର ରଙ୍ଗରେ ରଙ୍ଗାୟିତ ନହେଉ ଜାତୀୟ ଐତିହ କୀର୍ତ୍ତିରାଜି ଉପନିୟମ | ଏ ସମ୍ପୂର୍ଣ୍ଣ ପ୍ରସଙ୍ଗର ଦିଗ କେଉଁଆଡେ ? ବିନା ରାଜନୀତିରେ ଓଡ଼ିଆଙ୍କ ସମୂହ ସ୍ୱାର୍ଥ ପାଇଁ କିଏ ନ୍ୟାୟିକ ଲଢେଇ ଲଢ଼ୁଛି ସେ ଜଟିଳ ବିଚାର ଆମର ଶୁଦ୍ଧି ପାଠକ /ପାଠିକା ମାନଙ୍କ ଉପରେ ଛାଡିଲୁ …..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0