spot_img

କୋଟିଆରେ ନିର୍ମାଣ ହେବ ହେଲିପ୍ୟାଡ୍

କୋରାପୁଟ : କୋଟିଆରେ ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ସରକାରଙ୍କ ଠାରୁ ସବୁଜସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଏହି ହେଲିପ୍ୟାଡ୍ ନିର୍ମାଣ ହେଲେ ଏଠାକୁ ପୁଲିସ ଫୋର୍ସ ଓ ଅଧିକାରୀମାନେ ଯିବା ସହଜ ହୋଇପାରିବ। ଅପରପକ୍ଷରେ କୋଟିଆ ଥାନାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଥାନା ଓ ହେଲିପ୍ୟାଡ୍ ହେଲେ କୋଟିଆର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏପଟେ କୋଟିଆରେ ଉନ୍ନୟନମୂଳକ କାମ ମଧ୍ୟ ଜାରି ରହିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡ଼ାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଅବହେଳିତ କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ପ୍ରାୟ ୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରି କାମ ଚଳାଇଛନ୍ତି। ବିଶେଷକରି, ଏଠାରେ ଭିତ୍ତିଭୂମି ଓ ଜୀବନଜୀବିକାକୁ ଗୁରୁତ୍ୱ ଦିଆଯାଉଛି। କୋଟିଆ ସଦର ମହକୁମାରେ ଏବେ ପୁଲିସ ଥାନା ନିର୍ମାଣ ଜୋରସୋରରେ ଚାଲିଛି। ଇତିମଧ୍ୟରେ ଛାତ ପଡ଼ି ସାରିଛି, ଆଉ ଅଳ୍ପ କିଛି କାମ ବାକି ଅଛି। ପାଖାପାଖି ୨ ମାସ ଭିତରେ ଏହି କାମ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ୩ ମହଲା ବିଶିଷ୍ଟ କୋଠାରେ ଥାନା ସହ ପୁଲିସ ଫୋର୍ସ ରହିବେ। କୋଟିଆ ଅଞ୍ଚଳ ମାଓ ପ୍ରଭାବିତ ହୋଇଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଥାନା ନିର୍ମାଣ କରାଯାଉଥିବା ଜଣାପଡ଼ିଛି। କୋଟିଆରେ ଅନ୍ୟ ବିଭାଗର କାର୍ଯ୍ୟାଳୟ ମଧ୍ୟ ନିର୍ମାଣ ଚାଲିଛି। କିଛି କାର୍ଯ୍ୟାଳୟର ନିର୍ମାଣ ଶେଷ ହୋଇ ଗଲାଣି। ଏପଟେ ଏହି ଅଞ୍ଚଳରେ ମାଓବାଦୀଙ୍କ ବେଶ ପ୍ରଭାବ ଥିବାରୁ ପୁଲିସ ଫୋର୍ସ ଓ ଅନ୍ୟ ଅଧିକାରୀମାନେ ଯିବା ଆସିବା ଦୃଷ୍ଟିରେ ରଖି ଏଠାରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ କୋଟିଆ ଯାଇ ହେଲିପ୍ୟାଡ ନିମନ୍ତେ ଜାଗା ବାଛିଛନ୍ତି। କୋଟିଆ ସଦର ମହକୁମାରେ ଏହି ହେଲିପ୍ୟାଡ ନିର୍ମାଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular