ନୂଆଦିଲ୍ଲୀ: ଦେଶରେ ମିଠା ବ୍ୟବସାୟୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ଲାଗୁ କରିଛି ମାନବ ପ୍ରାଧିକରଣ ଅଫ ଇଣ୍ଡିଆ । ଆଗକୁ ପାର୍ବଣ ୠତୁ ଆସୁଥିବାରୁ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ପକ୍ଷରୁ ଏପରି ବଡ଼ ପଦକ୍ଷେପ ନିଆଯାଇଛି । ଏଫଏସଏସଏଆଇ ତରଫରୁ ଲାଗୁ କରାଯାଇଥିବା ଏହି ନୂଆ ନିୟମରେ ଉଲ୍ଲେଖ ଅଛି ମିଠା ବ୍ୟବସାୟୀ ମାନେ ବଜାରରେ ବିକ୍ରି କରୁଥିବା ମିଠାର ଏକ୍ସପାଏରୀ ତାରିଖ ଗ୍ରାହକମାନଙ୍କୁ ଜଣାଇବେ । ଏହି ନିୟମ ଅନୁଯାୟୀ, ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ଖୋଲା ମିଠା ବ୍ୟବହାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯିବ ଏବଂ ଏହି ନିୟମ ଅକ୍ଟୋବରରୁ ଲାଗୁ କରାଯିବ । ଏନେଇ ଏଫଏସଏସଏଆଇ ଏହାକୁ ନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ଫୁଡ଼ କମିଶନରଙ୍କୁ ଚିଠି ଲେଖିଛନ୍ତି । ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଉତ୍ପାଦର ସର୍ବଶ୍ରେଷ୍ଠ ମାନ ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ମିଠାର ଏକ୍ସପାଏରୀ ତାରିଖ ଦୋକାନୀମାନଙ୍କୁ କହିବାକୁ ପଡ଼ିବ । ଏହି ନୂତନ ନିୟମ ଲାଗୁ ହେବା ଫଳରେ ବଜାରରେ ଆଉ ବାସି ମିଠା ବିକ୍ରି ହୋଇପାରିବ ନାହିଁ କି ଗ୍ରାହକ ମାନେ ମଧ୍ୟ ଆଉ ଠକାମିର ଶିକାର ହେବେ ନାହିଁ ।