ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସବୁ ସମ୍ପ୍ରଦାୟର ଲୋକେ ଏହାକୁ ଖୁବ୍ ଧୁମ୍ଧାମ୍ରେ ପାଳିଥାଆନ୍ତି । ଏହି କୃଷି ଭିତ୍ତିକ ପର୍ବଟି ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଡ଼ିଥାଏ । ନୂଆଖାଇ ପାଳନର ଏକ ସ୍ୱତନ୍ତ୍ର ବିଧି ଅଛି । ପରମ୍ପରା ଅନୁସାରେ ପୁଜାରୀ ନୂଆଖାଇ ପୂର୍ବଦିନ ଉପବାସ ରହି ଜମିରୁ ଧାନକାଟି ଗାଁର ସମସ୍ତ ପରିବାରକୁ ପ୍ରଦାନ କରିଥାଆନ୍ତି । ସେହି ନୂଆ ଧାନକେଣ୍ଡାରୁ ପରିବାରର ମୁଖିଆ ଚାଉଳ ବାହାର କରନ୍ତି । ପରେ ସେଥିରେ ଗୁଡ଼, ନଡ଼ିଆ ମିଶାଇ ରନ୍ଧା ଯାଇଥାଏ । ରନ୍ଧାଯାଇଥିବା ନବାନ୍ନକୁ ମହୁଲ ପତ୍ର, ଭେଲୁଆ ପତ୍ର ବା କୋରେ ପତ୍ରରେ ରଖି ପୂଜା କରାଯାଇଥାଏ । ଘରର ମୁରବୀ ଏହି ପୂଜା କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ଭୋଗ ପରେ ସମସ୍ତ ପରିବାର ସଦସ୍ୟ ଏକାଠି ବସି ନବାନ୍ନ ଖାଇଥାଆନ୍ତି । ନବାନ୍ନ ବାହାର ଲୋକଙ୍କୁ ଛୁଇଁବାକୁ ମଧ୍ୟ ଦିଆଯାଏ ନାହିଁ । କିନ୍ତୁ ଏହି ଅବସରରେ ହେଉଥିବା ଅନ୍ୟ ବ୍ୟଞ୍ଜନ ଆଦିକୁ ସମସ୍ତଙ୍କୁ ବଣ୍ଟା ହୋଇଥାଏ । ପରିବାରର ସମସ୍ତେ ନୂଅ୍ରା ବସ୍ତ୍ର ଧାରଣ କରିଥାଆନ୍ତି ।

ନବାନ୍ନ ସେବନ ପରେ ଘରର କନିଷ୍ଠମାନେ ବୟୋଜ୍ୟେଷ୍ଠମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥାଆନ୍ତି । ଏହାକୁ ଜୁହାର ଭେଟ କୁହାଯାଏ । ସକାଳେ ନବାନ୍ନ କାର୍ଯ୍ୟ ସମ୍ପନ୍ନ ହେବା ପରେ ଅପରାହ୍ନରେ ଗ୍ରାମର ଲୋକମାନେ ଏକାଠି ନୂଆଖାଇ ଉତ୍ସବ ପାଳିଥାଆନ୍ତି । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକରଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାଆନ୍ତି । ଭେଟଘାଟ ଶେଷ ହେବା ପରେ ଖେଳକୁଦ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ନୂଆଖାଇ ପରଦିନ ରାତିରେ ଆମିଷ ଭୋଜନ ହୁଏ । ଏହି ଦିନକୁ ନୂଆଖାଇ ବାସି ବୋଲି କୁହାଯାଏ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0