ଭୁବନେଶ୍ୱର,୧୬।୭ : ବଲିଉଡ୍ ନିର୍ଦ୍ଦେଶକ ତଥା ରଙ୍ଗୀଲା ନାୟକ ରାମଗୋପାଳ ବର୍ମା ଓରଫ୍ ରାମୁଙ୍କୁ ନେଇ ଓଡ଼ିଶାରେ ଜୋରଦାର ଆଲୋଚନା । ଟ୍ୱିଟ୍ରରେ ତାଙ୍କ ଫିଲ୍ମ ଏବଂ ଓଡ଼ିଶା ସମ୍ପର୍କରେ ଟ୍ୱିଟ୍ ଏହାକୁ ବେଶ୍ ଖୋରାକ ଯୋଗାଇଛି । କାରଣ ସେ ତାଙ୍କ ଫିଲ୍ମରେ ଦୁଇ ଓଡ଼ିଆ ଯୋଡ଼ିଙ୍କୁ ସ୍ଥାନ ଦେଇଛନ୍ତି । ନାୟକ ଭାବେ ରକ୍ କାଚ୍ଚି ଓ ନାୟିକା ଭୂମିକା ତୁଲାଉଛନ୍ତି ଅପସରା ରାଣୀ । ଓଟିଟି ପ୍ଲାଟ୍ଫର୍ମ ଆର୍ଜିଭି ୱାର୍ଲ୍ଡ ଥିଏଟର ପାଇଁ ନିର୍ମିତ ଥ୍ରୀଲର ଫିଲ୍ମରେ ରାମୁ ଏହି ଦୁଇ ଜଣଙ୍କୁ ନେଇଛନ୍ତି । ଏମାନଙ୍କ ଏଣ୍ଟ୍ରି ନେଇ ଖାଲି ଓଡ଼ିଶା ନୁହେଁ, ପୁରା ବଲିଉଡ୍ ଉଠୁଛି ପଡ଼ୁଛି ।
ରାମୁ ବାରମ୍ବାର ବୋଲ୍ଡ ତଥା ହଟ୍ ଫଟୋକୁ ଟ୍ୱିଟ୍ରରେ ପୋଷ୍ଟ କରିବା ପରେ ଉଭୟ କଳାକାର ଓ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରଥମ ଫିଲ୍ମ ହୋଇଥିବାରୁ ଉଭୟ ନାୟକ, ନାୟିକା ବି ଉତ୍ସାହିତ ହୋଇପଡ଼ିଛନ୍ତି ।ସେମାନେ ଟ୍ୱିଟ୍ରରେ ଫିଲ୍ମ ସମ୍ପର୍କରେ ନିଜ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ମଜା କଥା ହେଲା, ଫିଲ୍ମର ଏବଂ ନିଜର ପ୍ରମୋସନ୍ ପାଇଁ ରାମୁ ପ୍ରଥମେ ଫିଲ୍ମର ନାୟିକା ଅପସରା ରାଣୀଙ୍କ ହଟ୍ ଫଟୋକୁ ପୋଷ୍ଟ କରି ଫିଲ୍ମ ସମ୍ପର୍କରେ ସୂଚନା ଦେଇଥିଲେ । ଏହାର କିଛି ଦିନ ପରେ ନିଜ ସହ ନାୟକ ରକ୍ କାଚ୍ଚିଙ୍କ ଫଟୋ ଛାଡ଼ିଲେ । ସେଥିରେ ସେ ଉଲ୍ଲେଖ କଲେ, ମୁଁ କେବଳ ଓଡ଼ିଆ ନାୟିକା ଅପସରା ରାଣୀଙ୍କୁ ନେଇନାହିଁ ବରଂ ତାଙ୍କ ବିପକ୍ଷରେ ଆଉ ଜଣେ ଯୁବ ଓଡ଼ିଆ ରକ୍ କାଚ୍ଚିଙ୍କୁ ସୁଯୋଗ ଦେଇଛି । ଏହି ପୋଷ୍ଟରେ ସେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ ସୁଟିଂ ସେଟ୍ ହଟ୍ ଫଟୋକୁ ସେୟାର କରିଥିଲେ । ଏହାପରେ ଫିଲ୍ମକୁ ନେଇ ଏବେ ଅଧିକ ଆଲୋଚନା ହେଉଛି । କାରଣ ଏକାବେଳେ ଦୁଇଜଣ ଓଡ଼ିଆ ଡେବ୍ୟୁ କରୁଛନ୍ତି, ତାହା ପୁଣି ରାମୁଙ୍କ ଫିଲ୍ମରେ । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସି ଖବର । ଅପସରା ରାଣୀ ଓରଫ୍ ଅଙ୍କିତା ମହାରଣାଙ୍କୁ ନେଇ ଯେତିକି ଚର୍ଚ୍ଚା ହେଲା ତା’ଠାରୁ ଏବେ ଅଧିକ ଆଲୋଚନା ରକ୍ । ରକ୍ ମହମ୍ମଦ ମୁନ୍ନିରଙ୍କ ଘର ନବରଙ୍ଗପୁର ଉମରକୋଟରେ । ସେଠାରେ ରକ୍ ଜନ୍ମ ଗ୍ରହଣ କରିଥିଲେ । ୧୦ ବର୍ଷ ବୟସ ଉମରକୋଟରେ ରହିଥିଲେ । ତାଙ୍କ ବାପାଙ୍କ ନାମ ୟାସିମ୍ କାଚ୍ଚି । ବ୍ୟବସାୟ କରିବା ଉଦ୍ଦେଶ୍ୟରେ ବାପା-ମା’ଙ୍କ ସହ ରକ୍ ପୂରା ପରିବାର ମହାରାଷ୍ଟ୍ରର କୋହ୍ଲାପୁର ଚାଲି ଯାଇଥିଲେ । ମୁନ୍ନିରଙ୍କ ସୂଚନା ଅନୁଯାୟୀ, ରକ୍ ପିଲାଦିନରୁ ମଡେଲିଂ ପ୍ରତି ଆକୃଷ୍ଟ ହୋଇଥିଲେ । ସ୍ନାତକ ପରେ ଏବେ ସେ ଅନେକ ଆଙ୍କରିଂ କରିଛନ୍ତି । ବଡି ବିଲ୍ଡିଂ ଉପରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି । ରକ୍ କହିଛନ୍ତି, ମଡେଲିଂରୁ ସେ ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ଏଥିସହିତ ଚଳିତ ବର୍ଷ ଅନ୍ତର୍ଜାତୀୟସ୍ତରରେ ହେବାକୁ ଥିବା ଏକ ପାଜେଣ୍ଟରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଏବେ ରାମଗୋପାଳ ବର୍ମାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ଥିବା ସେ କହିଛନ୍ତି ।
ଅପସରାଙ୍କ ନାଁରେ ୫୦ରୁ ଅଧିକ ଫେକ୍ ଆକାଉଣ୍ଟ

ଓଡ଼ିଆ ଝିଅ ଅପସରା ରାଣୀ ବଲିଉଡ୍ଏଣ୍ଟ୍ରି କରିବା ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ଲାଟ୍ଫର୍ମରେ ଅପସରାଙ୍କୁ ନେଇ ଆଲୋଚନା ହେଉଛି । ଯେତେବେଳେ ତାଙ୍କର ବିଭିନ୍ନ ଫଟୋ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଟ୍ୱିଟ୍ରରେ ପୋଷ୍ଟ କଲେ ସେତେବେଳେ ଫ୍ୟାନ୍ ଫଲୋର୍ସ । ୭ ଘଣ୍ଟାରେ ୧୫ ହଜାର ଦର୍ଶକ ତାଙ୍କୁ ଲାଇକ୍ କରିସାରିଥିଲେ । ଯାହାକୁ ଟ୍ୱିଟ୍ କରି ଅପସରା ଗତ ୭ ତାରିଖରେ ସୂଚନା ଦେଇଥିଲେ । ଏହାପରେ ଗତ ୧୩ ତାରିଖରେ ସେ ଆଉ ଏକ ଟ୍ୱିଟ୍ କଲେ । ଯେଉଁଥିରେ ତାଙ୍କ ନାଁରେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ୫୦ଟି ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ସୂଚନା ଦେଇଥିଲେ । ସେଥିରେ ସେ ବିବ୍ରତ ନହୋଇ ଘଟଣାକୁ ସକରାତ୍ମକ ରୂପେ ନେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0