ଭୁବନେଶ୍ୱର: ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଏନେଇ ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଓଡ଼ିଶାର କଳା ଓ ସଙ୍ଗୀତପ୍ରେମୀ ଚଳାଇଥିବା ଉଦ୍ୟମ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରୁଛି। ଓଡ଼ିଶୀ ସଙ୍ଗୀତ ପରମ୍ପରା ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀର ହୋଇଥିବା ସତ୍ତ୍ବେ ଏଯାବତ୍ ଭାରତ ସରକାରଙ୍କ ଦ୍ବାରା ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ। ଶାସ୍ତ୍ରୀୟ ଓ ନିଜସ୍ବ ମୌଳିକ ରାଗ ଆଧାରିତ ଓଡ଼ିଶାର ସଙ୍ଗୀତ ପରମ୍ପରା ଅନ୍ୟୂନ ୨୦୦୦ ବର୍ଷ ପୁରାତନ। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଠାରୁ ଭିନ୍ନ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଆବଶ୍ୟକ ସମସ୍ତ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଓଡ଼ିଶୀ ସଙ୍ଗୀତର ରହିଛି।

ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଭଳି ପ୍ରତିଷ୍ଠାନ ସ୍ଥାପନ କରି ଓଡ଼ିଶା ସରକାର ଆନୁଷ୍ଠାନିକ ସ୍ତରରେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ଲାଗି ପ୍ରାରମ୍ଭିକ ଉଦ୍ୟମ କରିଛନ୍ତି। ଏହା ବ୍ୟତିରେକେ, ଭାରତୀୟ ସାଂସ୍କୃତିକ ପୃଷ୍ଠଭୂମିରେ ଓଡ଼ିଶୀ ସଙ୍ଗୀତର ପ୍ରଭାବ ମଧ୍ୟ ଉଲ୍ଲେଖଯୋଗ୍ୟ। ଓଡ଼ିଶାର କେତେକ ନାଟ୍ୟକାର, ଭାସ୍କର, ଚିତ୍ରକର ଏବଂ ନୃତ୍ୟନିର୍ଦେଶକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତେଣୁ, ଓଡ଼ିଶାର ଐତିହ୍ୟକୁ ସମ୍ମାନ ପ୍ରଦାନପୂର୍ବକ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ଲାଗି ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0