ଭୁବନେଶ୍ୱର : ବାଘ, ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ବାଘ ଓ ହାତୀ ପ୍ରକଳ୍ପ ପାଇଁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ୟ୍ୟକ୍ରମ ବାବଦରେ ଏହି ଟଙ୍କା ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଆର୍ଥିକ ସହାୟତା ପାଇଁ ଶ୍ରୀ ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ୨୦୧୯-୨୧ ମଧ୍ୟରେ ବାଘ ପ୍ରକଳ୍ପରେ ଓଡ଼ିଶାକୁ ୨୬.୮୭ କୋଟି ଟଙ୍କା ମିଳିଛି। ସେଥି ମଧ୍ୟରୁ ସାତକୋଶିଆ ଅଭୟାରଣ୍ୟ ପାଇଁ ୧୧.୧୯ କୋଟି ଓ ଓ ଶିମିଳିପାଳ ବାଘ ଅଭୟାରଣ୍ୟ ଲାଗି ୧୫.୬୮ କୋଟି ଦିଆଯାଇଛି। ଏହି ପ୍ରୟାସରେ ଓଡ଼ିଶାକୁ ହାତୀ ପ୍ରକଳ୍ପ ଅଧୀନରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯.୬୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ହାତୀଙ୍କ ସଂରକ୍ଷଣ, ସେମାନଙ୍କ ସୁରକ୍ଷା, ହାତୀ ବାସସ୍ଥାନ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଭାରତରେ ବାଘ, ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃରୁଦ୍ଧାର କରିବାରେ ସହାୟକ ହୋଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0