କଟକ : କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟ ଅକ୍ଟୋବର ୯ ତାରିଖ ପର୍ୟ୍ୟନ୍ତ କଟକଣା ଭିତରେ କାର୍ୟ୍ୟ କରିବ। ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କୋର୍ଟ କାର୍ୟ୍ୟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ। ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଙ୍ଗରେ ଜରୁରୀ ସମ୍ପର୍କିତ ସୂଚନା ଥିବା ମେମୋ ଇ-ଫାଇଲିଂ ମୋଡ୍/ଇ-ମେଲ୍/ଡ୍ରପ୍ ବକ୍ସ ମାଧ୍ୟମରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଆଗୁଆ ଦାଖଲ ହେବ ଓ ଏ ନେଇ ଆଗୁଆ ପ୍ରତିପକ୍ଷଙ୍କୁ ଅବଗତ କରାଯିବ ବୋଲି ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଆଇନଜୀବୀ ଓ ପକ୍ଷମାନେ ଘରୁ କିମ୍ବା କାର୍ୟ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶ ଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ, ଜବାବ (କାଉଣ୍ଟର ଆଫିଡେଭିଟ୍), ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍ ଦ୍ବାରା କରାଯିବ। ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଜରୁରୀ ପ୍ରସଙ୍ଗ ସମ୍ପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ। ଦିନ ୧୦ଟାରୁ ୧ଟା ପର୍ୟ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ। ଏଥିସହିତ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ ଓ ଟ୍ରିବୁନାଲର କୋର୍ଟ କାର୍ୟ୍ୟ ମଧ୍ୟ ଅଗଷ୍ଟ ୨୧ର ନିର୍ଦ୍ଦେଶନାମା ଅନୁସାରେ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1