ସାରା ବିଶ୍ବରେ ଓମିକ୍ରନ୍ କାୟାବିସ୍ତାର କରିଛି ଏବଂ ଏହାକୁ ‘ସାମାନ୍ୟ’ ବୋଲି ପ୍ରଚାର କରିବା ବିଭ୍ରାନ୍ତିକର ବୋଲି ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । କୋଭିଡ୍-୧୯ ସମ୍ବନ୍ଧରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଅଧାନମ୍ ଗେବ୍ରେୟସସ୍ କହିଛନ୍ତି ଯେ, ଗତ ସପ୍ତାହରେ ୧୮ ନିୟୁତ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି, କିଛି କ୍ଷଣ ପାଇଁ ମୃତ୍ୟୁସଂଖ୍ୟା ସ୍ଥିର ରହିଛି କିନ୍ତୁ, ଅବସନ୍ନ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପଡୁଥିବା ମାତ୍ରାଧିକ ବୋଝର ପ୍ରଭାବ ପାଇଁ ଆମେ ଚିନ୍ତିତ ।କେତେକ ଦେଶରେ କରୋନାଭାଇରସ୍ ସଂକ୍ରମଣ ଶିଖର ସ୍ପର୍ଶ କରିଥିବା ପରି ମନେହୁଏ । ଏଥିରୁ ଆଶା ହେଉଛି, ସଦ୍ୟତମ ଲହର୍ର ସବୁଠୁ ମନ୍ଦ ସମୟର ଅବସାନ ଘଟିଛି, କିନ୍ତୁ ଏଯାବତ୍ କୌଣସି ଦେଶ ବିପଦ ମୁକ୍ତ ନୁହେଁ । ସ୍ବଳ୍ପ ଟିକାକରଣ ହୋଇଥିବା ଅନେକ ଦେଶ ପ୍ରତି ମୁଁ ବିଶେଷ ଭାବେ ଚିନ୍ତିତ। ଟିକା ନ ନେଇଥିବା ଲୋକମାନେ ଖୁବ୍ ସାଙ୍ଘାତିକ ଭାବେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ିପାରନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ପୁଣି କହିଛନ୍ତି, ସାମଗ୍ରିକ ଦୃଷ୍ଟିରୁ ଅବଶ୍ୟ ଓମିକ୍ରନ୍ କମ୍ ମାରାତ୍ମକ ହୋଇଥାଇ ପାରେ, କିନ୍ତୁ, ଏହା ସାମାନ୍ୟ ରୋଗ ବୋଲି ଯେମିତି ବର୍ଣ୍ଣନା କରାଯାଉଛି, ତାହା ବିଭ୍ରାନ୍ତିକର । ଏଭଳି ବର୍ଣ୍ଣନା କୋଭିଡ୍ ବିରୋଧୀ ସାମଗ୍ରିକ ମୁକାବିଲାକୁ ଆଘାତ ଦେବା ସହ ଅଧିକ ମୃତ୍ୟୁର କାରଣ ହେଉଛି । ଭୁଲ୍ କରନ୍ତୁ ନାହିଁ, ଓମିକ୍ରନ୍ ମଧ୍ୟ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁର କାରଣ ହେଉଛି। ସ୍ବଳ୍ପ ମାରାତ୍ମକ ମାମଲା ମଧ୍ୟ ଡାକ୍ତରଖାନାଗୁଡ଼ିକୁ ଭାରାକ୍ରାନ୍ତ କରି ଦେଉଛି । ଭୂତାଣୁ ଅତି ତୀବ୍ର ବେଗରେ ବ୍ୟାପୁଥିବା ବେଳେ ଅନେକ ଏଥିଯୋଗୁଁ ବିପଦ୍ରେ ପଡ଼ିପାରନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0