spot_img

କୋରାପୁଟରୁ ନକଲି ମାଓବାଦୀ ଗିରଫ

ଲକ୍ଷ୍ମୀପୁର: ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ । ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବଳି ଆମ୍ବଗୁଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟରତ ଶିକ୍ଷୟିତ୍ରୀ ଦମୟନ୍ତୀ ସାମଲଙ୍କୁ ସେଠାକାର ଜଣେ ଦୋକାନୀ ଗତ ମାସ ୨୬ ତାରିଖରେ ଏକ ଚିଠି ନେଇ ଦେଇଥିଲେ । କେହି ଜଣେ ତାଙ୍କୁ ଦେବାକୁ କହିଥିଲେ ବୋଲି ସେ କହିଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଖୋଲିଥିଲେ । ଚିଠିରେ ନାରାୟଣପାଟଣା ମାଓ ଡିଭିଜନର ଅରୁଣା ନାଁରେ ୧୦ ଲକ୍ଷ ଟଙ୍କା ଦିଅ ନଚେତ ତମର ପରିବାରକୁ ହତ୍ୟା କରାଯିବ ବୋଲି ଲେଖାଥିଲା । ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଏତେ ଗୁରୁତ୍ବ ଦେଇନଥିଲେ । କିଛି ଦିନ ପରେ ଅର୍ଥାତ୍ ଚଳିତ ମାସ ୧୮ ତାରିଖରେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା । କେହିଜଣେ ତାଙ୍କୁ ଫୋନ୍ ରେ ଧମକ ଦେଇଥିଲେ । କହିଥିଲେ, ତମକୁ ଟଙ୍କା ମଗାଯାଇଥିଲା କାହିଁକି ନଦେଇ ଚୁପ୍ ରହିଲ । ତୁରନ୍ତ କୁହ କେଉଁଠିକୁ ଆସିଲେ ପଇସା ଦେବ । ତୁମର ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି । ଆମେ ସବୁକିଛି ଜାଣିଛୁ ।ଏହାପରେ ଶିକ୍ଷୟିତ୍ରୀ ଜଣଙ୍କ କାକିରିଗୁମା ଥାନକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଫୋନ୍ କଲ୍ ଆସିଥିବା ନମ୍ବରକୁ ଟ୍ରାକ କରି ସୁନାବେଡା ଅଞ୍ଚଳରୁ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ନରେନ୍ଦ୍ର କୁମାର ବାଘଙ୍କୁ ଗିରଫ କରିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular