ଭୁବନେଶ୍ବର: ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଛି। କୋଭିଡ୍ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି ଜୀବନଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟବାସୀ ଯିଏ ଯେଉଁଠାରେ ଥିଲେ ସେଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି।
ଏହାପରେ ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟକୁ କୋଭିଡ୍ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ୟ୍ୟକୁ ପ୍ରଶଂସା ସହିତ ସେମାନଙ୍କ କାର୍ୟ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଥିଲା। ଏହି ଶପଥରେ କୁହାଯାଇଥିଲା-
୧- ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି।
୨- କୋଭିଡ୍ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ।
୩- ପ୍ରତିଟି ଲୋକର ଲଢ଼େଇ।
୪- ଏ ଲଢ଼େଇରେ ମୁଁ ବି ସାମିଲ୍।
୫- କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ।
୬- ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି।
୭- କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ୍ କରିବି।
୮- ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଏବଂ ମାନବ ଜାତି ବି ଜିତିବ।



Visitors Today : 3
Total Visitors : 130567
Total Views : 9892122
Visitors Online Now : 0