ଭୁବନେଶ୍ୱର : ଭୟ ଏବଂ ସଂଘର୍ଷର ବର୍ଷ ଥିଲା ୨୦୨୦। ଠିକ୍ ବର୍ଷକ ତଳେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ପରେ ଖେଳି ଯାଇଥିଲା ଆତଙ୍କ। ଗତବର୍ଷ ମାର୍ଚ୍ଚ ମାସ ୧୫ ତାରିଖରେ ରାଜ୍ୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଆଜି ଏହି ଘଟଣାକୁ ଏକ ବର୍ଷ ଛୁଇଁଛି |୧୫ ମାର୍ଚ୍ଚ ୨୦୨୦ ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ରାଜଧାନୀରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହି ସମୟସୀମା ମଧ୍ୟରେ ସଂକ୍ରମଣଠାରୁ ବିପର୍ଯ୍ୟସ୍ତ ଜୀବନ ପର୍ଯ୍ୟନ୍ତ ଯେଉଁସବୁ ଘଟଣା ଘଟିଥିଲା, ତାହାକୁ ଆଜି ମନେପକାଇବାର ଅବକାଶ ବି ନାହିଁ। କାରଣ, ଏବେ ବି କରୋନା ବିପଦ ହୋଇ ସାମ୍ନାରେ ଠିଆ ହୋଇଛି। ତେବେ, ଅତୀତ ହିଁ ମଣିଷକୁ ଏଥିପାଇଁ ଅଧିକ ସତର୍କ କରାଇବ । ରାଜ୍ୟବାସୀଙ୍କ ମନରେ କରୋନାର କରାଳ ଭୟ ଏବେବି ଉଜ୍ଜୀବିତ ହୋଇ ରହିଛି । ଲୋକେ ଏବେବି କରୋନା ନାଁ ଶୁଣିଲେ ଚିହିଁକି ପଡୁଛନ୍ତି । ରାଜ୍ୟବାସୀ ତାଙ୍କ ଜୀବଦଶାରେ ଏମିତି ଏକ ବର୍ଷକୁ ଦେଖିବେ ବୋଲି କେବେ ସ୍ବପ୍ନରେ ଭାବିନଥିଲେ। ଜୀବନକୁ ବର୍ଷତମାମ୍ କ୍ଷତାକ୍ତ କରିଦେଲା ବିଶ୍ୱ ମହାମାରୀ କରୋନା । ଆର୍ଥିକ ସ୍ଥିତିରୁ ଆରମ୍ଭ କରି ଜୀବନଶୈଳୀ ପର୍ଯ୍ୟନ୍ତ ସବୁ ପ୍ରଭାବିତ ହେଲା । ଲୋକ ରୋଜଗାର ହରାଇଲେ, ସହର ଛାଡ଼ି ଗାଁକୁ ଫେରିଲେ। ପିଲାମାନେ ବିଦ୍ୟାଳୟ ମାଟି ମାଡ଼ିପାରିଲେନି । ରାଜ୍ୟ ଅର୍ଥନୀତି ଭୁଶୁଡ଼ି ପଡ଼ିଲା । ବାହାର ଦେଶ ଓ ରାଜ୍ୟରୁ ଫେରିଲେ ହଜାର ହଜାର ପ୍ରବାସୀ ଓଡ଼ିଆ । ଏଠାରୁ ଅଣଓଡ଼ିଆ ବି ନିଜ ଦେଶ ଓ ରାଜ୍ୟକୁ ପଳାଇଲେ। ସେହିଭଳି ଜୀବନ ଜୀବିକା ଏଭଳି ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି କଲା ଯେ ଲୋକ ଅନ୍ୟ ଜଣଙ୍କୁ ଛୁଇଁବାକୁ ଭୟକଲେ । ମହାମାରୀରେ ଅନେକ ନିଜର ପ୍ରିୟ ପରିଜନ ଙ୍କୁ ହରାଇଥିବା ବେଳେ ଅନେକଙ୍କର ଜୀବିକା ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା | ସବୁଠି ଗଣ୍ଡେ ଖାଇ ଦଣ୍ଡେ ଜିଇଁବାର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିଲା । ଚିକିତ୍ସାଳୟ ପହଞ୍ଚିଲା ବେଳକୁ ଲୋକଙ୍କର ପ୍ରାଣବାୟୁ ଉଡ଼ିଯାଉଥିଲା। ଗୋଟିଏ ଗୋଟିଏ ପରିବାରରୁ ଦୁଇ ତିନିଜଣଙ୍କ ଜୀବନ ଚାଲିଗଲା। କେଉଁଠି ବାପ, ପୁଅଙ୍କ ଜୁଇ ଏକାଠି ହୋଇ ଜଳିଲା ତ ପୁଣି ସ୍ମଶାନରେ ଅନ୍ତିମ ନିଆଁ ଲିବିବାର ନାଁ ଧରୁନଥିଲା । ଯାହା ଫଳରେ ସ୍ମଶାନ ମୂକ ସାକ୍ଷୀ ପାଲଟିଲା । ଜୁଇ ଉପରେ ୪ରୁ ୫ ଶବ ଲଦି ପୋଡ଼ାଗଲା । କରୋନାର ଭୟାବହତା ସତ୍ୟନଗର ଭଳି ରାଜ୍ୟର ସବୁ ସ୍ମଶାନ ବୟାନ କଲା । ବିଶ୍ୱର ଅନ୍ୟାନ୍ୟ ଭାଗରେ ଯେଉଁ ମହାମାରୀ ବ୍ୟାପି ଚାଲିଥିଲା, ତାହା ଆମ ଆଡ଼େ ଆସିବ ନାହିଁ ବୋଲି ଏକପ୍ରକାର ଧାରଣା ତିଆରି ହେଉଥିଲା ।

ହେଲେ ଜନସାଧାରଣ ଅମାନିଆ ହେବାରୁ ସ୍ଥାନୀୟ ସଂକ୍ରମଣ ଏତେ ମାତ୍ରାରେ ବଢ଼ିଲା ଯେ କରୋନାର ଉତ୍ତପ୍ତ ସହର ପାଲଟିଗଲା ରାଜଧାନୀ ଭୁବନେଶ୍ୱର । ପରେ ପରେ ସ୍ଥିତି ଅଣାୟତ ହେବାରୁ ଆରମ୍ଭ ହୋଇଗଲା ତାଲାବନ୍ଦ । ନିଜ ଘରେ ଗୃହବନ୍ଦୀରେ ସହାବସ୍ଥାନ କଲେ ଲକ୍ଷ ଲକ୍ଷ ଲୋକ । ଶୂନଶାନ ହୋଇଗଲା ରାସ୍ତା ଘାଟ , ବନ୍ଦ ହୋଇଗଲା ବ୍ୟବସାୟିକ ପ୍ରତିଷ୍ଠାନ ,ଚଳଚିତ୍ର ପ୍ରେକ୍ଷାଳୟ ଓ କ୍ରୀଡାଙ୍ଗନ । ଭୁବନେଶ୍ୱର ର ସୂର୍ଯ୍ୟନଗର ଓ ବମିଖାଲରୁ ଆରମ୍ଭ ହୋଇଥିବା ସଂକ୍ରମଣ ରାଜଧାନୀର ସୀମା ଡେଇଁ ଖୁବ କମ ସମୟ ବଜିଟରେ ପହଞ୍ଚିଗଲା ଗାଁ ଗାଁରେ ।ସବୁଠି ବିଷମ ହେଲା ସ୍ଥିତି , ଗାଁ ରୁ ସହର ଭୟର ବାତାବରଣ ଭିତରେ ଦିନ କାଟିଲେ ଜନସାଧାରଣ | ବାଉଁଶ ଓ କାଠ ବାନ୍ଧି ପ୍ରବେଶ ନିଷିଦ୍ଧ କଲେ ଗାଁ ଭିତରକୁ | ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ରାଜ୍ୟ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ | କରୋନା ରେ ପଞ୍ଚାୟତ ଠାରୁ ଜିଲ୍ଲା ସ୍ତରରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ହୋଇଥିଲା | ଯାହାଫଳରେ କୋଭିଡ୍ ସାମଗ୍ରୀ କିଣା ଘଟଣାରେ କେଳେଙ୍କାରୀ ଖୁବ ଚର୍ଚ୍ଚାରେ ଥିଲା । ଲୋକାୟୁକ୍ତ ଏହାର ତଦନ୍ତ କରୁଛନ୍ତି । ସରକାର ସ୍ବାସ୍ଥ୍ୟ ସଚିବଙ୍କୁ ମଧ୍ୟ ବଦଲାଇ ଦେଇ ଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ସେପ୍ଟେମ୍ବର ୨୫ରେ ରାଜ୍ୟରେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୫୬ ଛୁଇଁଥିବା ବେଳେ ଏବେ ଏହା ଦୁଇ ଅଙ୍କ ମଧ୍ୟରେ (୧୪ ତାରିଖ ରିପୋର୍ଟରେ ୭୧ଆକ୍ରାନ୍ତ) ରହୁଛି। ଏବଂ ଜାନୁଆରି ୧୬ରୁ ସାରା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି, ଆଗ ଧାଡ଼ିର ଯୋଦ୍ଧା, ବରିଷ୍ଠ ନାଗରିକ, ବହୁ ରୋଗାକ୍ରାନ୍ତ ଲୋକଙ୍କୁ ଟିକା ଦିଆଚାଲିଛି । ମେ’ ୧୫ ତାରିଖ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଦେଶର ବିଭିନ୍ନ ରାଜ୍ୟରେ ବଢୁଥିବା ସଂକ୍ରମଣ ,ଖାସ କରି ମହାରାଷ୍ଟ୍ର ଏବେ ଚିନ୍ତା ବଢ଼ାଇ ଦେଇଛି | କରୋନାର ଦ୍ବିତୀୟ ଲହରୀ ଫେରୁଥିବା ବେଳେ ଓଡ଼ିଶା ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ଯାହା ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରୁ ଚଳବାର୍ତ୍ତା ଜରିଆରେ ପୁଣି ଥରେ ସତର୍କ କରାଇଛନ୍ତି । ପ୍ରଶାସନକୁ କଟକଣା ଯାଞ୍ଚ ଲାଗି ସଜାଗ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି | ସଂକ୍ଷିପ୍ତ ରେ କହିଲେ ଏପରି ହୋଇପାରେ କରୋନାକୁ ନେଇ ଲଢେଇ ବର୍ଷେ ପରେ ମଧ୍ୟ ଶେଷ ହୋଇନି । ଏବେବି ଆମେ ଭୟ ମୁକ୍ତ ନୁହେଁ | ତେବେ ଶେଷରେ ଏତିକି କହିବୁ କରୋନା କଟକଣା କୁ ମାନିବା | ଘରୁ ବାହାରକୁ ବାହାରିଲେ ମୁଖାବରଣ ବ୍ୟବହାର କରିବା , ସମାଜିକ ଓ ଶାରିରୀକ ଦୂରତ୍ୱ ଅବଲମ୍ବନ କରିବା | ବାରମ୍ବାର ସାବୁନରେ ହାତ ଧୋଇବା ଓ ହାତରେ ବିଶୋଧକ ଲଗାଇବା | କାରଣ ସତର୍କତା ହିଁ ମହାମାରୀ କୁ ଦୂରେଇବାର ପ୍ରମୁଖ ମାଧ୍ୟମ ……..



Visitors Today : 3
Total Visitors : 130166
Total Views : 9891611
Visitors Online Now : 0