ଭୁବନେଶ୍ୱର : ଖାଉଟିଙ୍କ ମୁଣ୍ଡରେ ଚଡକ । ପୁଣି ବଢିଲା ପିଆଜ ଦର । ଖୁଚୁରା ବଜାରରେ କିଲୋ ଛୁଇଁଲା ୬୦ । ଆମଦାନୀରେ କୌଣସି ପ୍ରଭାବ ପଡିନଥିଲେ ହେଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦର ବୃଦ୍ଧି ଓଡିଶା ବଜାରକୁ ପ୍ରଭାବିତ କରିଥିବା କୁହାଯାଉଛି । ଗତ ଦୁଇ ଦିନ ପୂର୍ବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ହଠାତ୍ ଗତକାଲି ସନ୍ଧ୍ୟାରୁ ପାଇକାରୀ ଦର ୪୨ରୁ ୪୫ ଟଙ୍କାରେ ପହଞ୍ଚି ଯାଇଛି। ରାଜଧାନୀର ମୁଖ୍ୟ ମଣ୍ଡି କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ପିଆଜର ପାଇକାରୀ ଦର ସର୍ବାଧିକ ୪୫ ଟଙ୍କା ରହିଛି। ନାସିକରୁ ଆମଦାନୀ ହେଉଥିବା ବଡ଼ ପିଆଜ ୪୫ ଟଙ୍କା ହୋଇଥିବାବେଳେ ଛୋଟ ପିଆଜ କିଲୋ ୪୨ ଟଙ୍କା ହୋଇଛି। ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ହଠାତ୍ ଦର ବୃଦ୍ଧି ଘଟିଛି ବୋଲି କୁହାଯାଉଛି। କୁବେରପୁରୀରେ ପାଇକାରୀ ଦର ୪୫ ଟଙ୍କା ଟପିନଥିବାବେଳେ ଖୁଚୁରା ବଜାରରେ କିନ୍ତୁ କିଲୋ ୬୦ ଟଙ୍କା ହୋଇଯାଇଛି। ଆଜି କ୍ୟାପିଟାଲ ହାଟରେ ପିଆଜ ଏହି ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେଣୁ କିଲୋ ପିଛା ଖୁଚୁରା ବେପାରୀମାନେ ୧୫ ଟଙ୍କାରୁ ଅଧିକ ମୁନାଫା ରଖି ବିକ୍ରି କରୁଛନ୍ତି। କେବଳ ସେତିକି ନୁହେଁ, କୁବେରପୁରୀରେ ଭଲ ମାନର ପିଆଜ ଦରକୁ ନେଇ ଖୁଚୁରା ବେପାରୀମାନେ ନିମ୍ନମାନର ପିଆଜ ଦର ସ୍ଥିର କରନ୍ତି। ବିଶେଷକରି ରାଜଧାନୀର ଅନ୍ୟାନ୍ୟ ଛୋଟ ହାଟ ବା ଗଳିକନ୍ଦି ଦୋକାନ ଓ ଗ୍ରାମାଞ୍ଚଳ ଦୋକାନମାନଙ୍କରେ ନିମ୍ନ ମାନର ପିଆଜକୁ ଉଚ୍ଚ ମାନର ପିଆଜ ଦରରେ ବିକିବା ଏକ ସାଧାରଣ ଘଟଣା ହୋଇଆସିଛି। ଖୁଚୁରା ବଜାରରେ ରାଜ୍ୟ ଯୋଗାଣ ବିଭାଗର ଲଗାମ ନଥିବାରୁ ଏଭଳି ସ୍ଥିତି ସବୁ ସମୟରେ ଉପୁଜେ ବୋଲି କାହାକୁ ଅଛପା ନାହିଁ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0