spot_img

ମାସେ ଯାଏଁ ଖସିବନି ପିଆଜ ଦର ! 

କଟକ: ପିଆଜ ଦର ହୁ ହୁ ହୋଇ ବଢିଚାଲିଛି । ଦୁଇ ସପ୍ତାହ ଭିତରେ ମୂଲ୍ୟ କିଲୋ ପିଛା ପ୍ରାୟ ୩୦ଟଙ୍କା ବଢିଗଲାଣି । ଆଗକୁ ମାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କ୍ଷୀଣ । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସାରା ଭାରତରେ ପିଆଜ ଅଭାବ ପରିଲକ୍ଷିତ ହେଲାଣି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଯେଉଁଠି ଗତ ସପ୍ତାହରେ ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା ସେଠି ଏବେ ଲୋକେ ୮୦ ଟଙ୍କା ଦେଇ କିଣିଲେଣି । ଏଣେ ହୋଲସେଲ୍‌ ବଜାରରେ ଷ୍ଟକ୍‌ ବି କମି କମି ଯାଉଛି ।

ଅନ୍ୟାନ୍ୟ ଦ୍ରବ୍ୟ ଭଳି ପିଆଜ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆମଦାନୀ ରାଜ୍ୟ ଭାବେ ପରିଗଣିତ । ଅନୁଗୁଳ, ଟିଟିଲାଗଡ, କୋରାପୁଟ, ଭବାନୀପାଟଣା ଆଦି ଅଳ୍ପ କେତୋଟି ଅଞ୍ଚଳକୁ ଛାଡିଲେ ରାଜ୍ୟରେ ଅନ୍ୟ କେଉଁଠି ପିଆଜ ଉତ୍ପାଦନ ହୋଇନଥାଏ । ଏସବୁ ଅଞ୍ଚଳରେ ବି ଋତୁକାଳୀନ ଅମଳ ହୁଏ । ଏପ୍ରିଲ୍‌ରୁ ଜୁନ୍‌ ଯାଏ ଏଠାରୁ ବଜାରକୁ ପିଆଜ ଆସିଥାଏ । କିନ୍ତୁ ଜୁନ୍‌ ପରେ ବଜାରରେ ଆଉ ଦେଶୀ ପିଆଜର ଷ୍ଟକ୍‌ ରହିନଥାଏ । ପରେ ବର୍ଷ ତମାମ୍‌ ରାଜ୍ୟ ବାହାରୁ ହେଉଥିବା ଆମଦାନୀ ପିଆଜ ଉପରେ ରାଜ୍ୟବାସୀଙ୍କୁ ନିର୍ଭର କରିବାକୁ ପଡେ ।

ବିଶେଷ କରି ନାସିକ୍‌, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ । ଏଥିରୁ ମାତ୍ରାଧିକ ଷ୍ଟକ୍‌ ମଗାଇଥାଏ କଟକ ଛତ୍ରବଜାର । କିନ୍ତୁ ଚଳିତବର୍ଷ ତାମିଲନାଡୁ,ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲହାନି ହୋଇଥିବାରୁ ତା’ର ପ୍ରଭାବ ସାରା ଭାରତରେ ପଡିଛି । ସେଥିରେ ଓଡ଼ିଶା ବି କାନ୍ଦୁଛି । ମାସେ ପରେ ଅର୍ଥାତ୍‌ ନଭେମ୍ବର ଶେଷ ଆଡକୁ ନୂଆ ଅମଳ ବାହାରିଲେ ପରିସ୍ଥିତି ଆୟତ୍ତକୁ ଆସିବ । ଏହା ପୂର୍ବରୁ ଯଦି ଆସନ୍ତା ୧୫ଦିନ ଭିତରେ ଆଫଗାନିସ୍ତାନରୁ ପିଆଜ ଆସିଯାଏ ତାହେଲେ କିଛି ମାତ୍ରାରେ ଲୋକଙ୍କ କଷ୍ଟ କମିବାର ସମ୍ଭାବନା ରହିଛି । ଦର ମଧ୍ୟ ଖସିବାର ସମ୍ଭାବନା ରହିଛି । ନଚେତ ଆସନ୍ତା ମାସେ ଧରି ପିଆଜ ବଜାରଦର ଚଢା ରହିବା ନିଶ୍ଚିତ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular