ନୂଆଦିଲ୍ଲୀ: ପାକିସ୍ତାନ ସୀମା ଅଞ୍ଚଳ ପଞ୍ଜାବର ଗୁରଦାସପୁର ଜିଲ୍ଲାରୁ ନିରାପତ୍ତା ବଳ ୧୧ଟି ‘ହ୍ୟାଣ୍ଡ୍ ଗ୍ରେନେଡ୍’ ଜବତ କରିଛନ୍ତି। ଏଗୁଡ଼ିକ ପାକିସ୍ତାନ ପଟୁ ଉଡ଼ି ଆସିଥିବା ଏକ ଡ୍ରୋନ୍ରୁ ପକାଯାଇଛି ବୋଲି ସନ୍ଦେହ କରାଯାଉଥିବା କଥା ସୋମବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେନାବାହିନୀ ଲାଗି ପାକିସ୍ତାନର ରାଓ୍ଵଲପିଣ୍ଡିରେ ଅବସ୍ଥିତ ଏକ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କାରଖାନାରେ ଏସବୁ ନିର୍ମିତ ବୋଲି ଅନୁମାନ କରାଯାଉଛି। ‘ଅର୍ଗେସ ଟାଇପ ଜିଏଚ-୮୪’ ସିରିଜର ଏହି ଗ୍ରେନେଡ ସବୁ ଏକ ପ୍ଲାଷ୍ଟିକ ବକ୍ସରେ ଭର୍ତ୍ତି ହୋଇଥିଲା। ଆତଙ୍କବାଦୀମାନଙ୍କ ପାଇଁ ଦେଶ ମଧ୍ୟକୁ ଗୁପ୍ତରେ ଆସୁଥିବା ଅସ୍ତ୍ରଶସ୍ତ୍ର ଧରାପଡ଼ିବାରେ ଏହା ହେଉଛି ଗତ ୧୫ ମାସ ମଧ୍ୟରେ ଅଷ୍ଟମ ଘଟଣା ବୋଲି ବରିଷ୍ଠ ପୁଲିସ ଅଧିକାରୀ ଜଣକ କହିଛନ୍ତି। ତଲାସ ଅଭିଯାନ ବେଳେ ଏହି ୧୧ଟି ଗ୍ରେନେଡ ଥିବା ପ୍ୟାକେଟ ପୁଲିସ ପାଇଥିଲେ। ଗୁରଦାସପୁରର ଦୋରଙ୍ଗଲା ଅଞ୍ଚଳ ସଲଚ ଗାଁର ଧୁସି ବନ୍ଧ ନିକଟରୁ ଏହି ଗ୍ରେନେଡ ପ୍ୟାକେଟ ମିଳିଥିଲା। କାଠ ଫ୍ରେମରେ ଥିବା ଏହି ପ୍ୟାକେଟକୁ ‘ନାଇଲନ’ ଦଉଡ଼ି ଯୋଗେ ତଳକୁ ଖସାଯାଇଥିବା କଥା ବରିଷ୍ଠ ପୁଲିସ ଅଧିକାରୀଜଣକ କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0