ବାଲେଶ୍ୱର : ଆଳୁ ହିସାବ ଗଡ଼ବଡ଼ ହୋଇଗଲାଣି। ୭ ଦିନରେ ବଢ଼ିଲାଣି ୭ ଟଙ୍କା। ଏଥର କିନ୍ତୁ ସଙ୍କଟ ଅଲଗା। ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପଶ୍ଚିମବଙ୍ଗର ଆଳୁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ତେଣୁ ଭବିଷ୍ୟତରେ ଅଧିକ ଲାଭ ପାଇଁ ଏହି ରାଜ୍ୟ ଆଳୁ ଗଚ୍ଛିତ କରି ରଖୁଥିବା କୁହାଯାଉଛି। ତେଣୁ ଚାହିଦା ଅନୁସାରେ ଓଡ଼ିଶାକୁ ସେତିକି ପରିମାଣରେ ଆଳୁ ଆସୁନାହିଁ। ଚଳିତ ବର୍ଷ ଆଳୁ ଉତ୍ପାଦନ ଗତ ବର୍ଷ ତୁଳନାରେ କମ୍ ରହିଥିଲା। ଏହାସହ ଏ ବର୍ଷ ମଧ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଫେବ୍ରୁଆରି ମାସରେ ହେବାକୁ ଥିବା ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେବ। ଏମିତି ପଶ୍ଚିମବଙ୍ଗରେ ପ୍ରତିମାସ ପ୍ରାୟ ୫ଲକ୍ଷ ଟନ୍ ଆଳୁର ଚାହିଦା ଥାଏ। ସେହି ହିସାବରେ ସେଠାକାର ସରକାର ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଆଗାମୀ ୬ ମାସର ଆଳୁ ଗଚ୍ଛିତ କରି ରଖୁଛନ୍ତି। ପୂର୍ବରୁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଯେତିକି ଆଳୁ ଆସୁଥିଲା, ଏବେ ସେଥିରୁ କିଛି ଭାଗ ଆଳୁ ଆସାମକୁ ମଧ୍ୟ ପଶ୍ଚିମବଙ୍ଗ ରପ୍ତାନି କରୁଛି। କିଛିଦିନ ଭିତରେ ପଡ଼ୋଶୀ ରାଜ୍ୟକୁ ଆଳୁ ଚାଲାଣ ଉପରେ ଅଲିଖିତ ଭାବେ ରୋକ ଲଗାଇଦେଇଛନ୍ତି ସରକାର। ବିଭିନ୍ନ ଶୀତଳଭଣ୍ଡାରରେ ଚାଲାଣ ହେବାକୁ ଥିବା ଆଳୁକୁ ଅଟକାଇ ଦିଆଯାଇଛି। ଏପରିକି ସୀମାନ୍ତ ଗେଟ୍ଗୁଡ଼ିକରେ ଜଗିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ପଶ୍ଚିମବଙ୍ଗର ହୁଗୁଳି, ବର୍ଦ୍ଧମାନ, ମେଦିନୀପୁର, ଗଡବେତା, ଆମ୍ବଲତୋଟା, ଚନ୍ଦ୍ରକଣା ଆଦି ସ୍ଥାନରେ ଥିବା ଆଳୁ ଗୋଦାମରେ କ୍ଷମତାର ୩୦ ପ୍ରତିଶତ ଆଳୁ ମହଜୁଦ ରହିଛି। ସେଠାକାର ସରକାରଙ୍କ ଚାପରେ, ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ଆଳୁ ଗୋଦାମରୁ ଆଳୁ ଛାଡ଼ିବାକୁ ଡରୁଛନ୍ତି। ଏ ପରିସ୍ଥିତିରେ ଓଡ଼ିଶା ବଜାରରେ ଆଳୁର ମୁଲ୍ୟବୃଦ୍ଧି ହୁ ହୁ ହୋଇ ବଢ଼ିଚାଲିଛି। ଏପରି କିଛି ଦିନ ଲାଗି ରହିଲେ ଆଳୁର କିଲୋଗ୍ରାମ ପିଛା ମୂଲ୍ୟ ୪୦ ଟପି ଯିବ ବୋଲି ଜଳେଶ୍ୱରର କେତେକ ବ୍ୟବସାୟୀ ଆଶଙ୍କା କରିଛନ୍ତି। ଆଳୁ ଆମଦାନୀ କେମିତି ପ୍ରଭାବିତ ହୋଇଛି ତାର ଛୋଟ ଉଦାହରଣ ହେଉଛି ଜଳେଶ୍ବରର ବିଭିନ୍ନ ଆଳୁ ଗୋଦାମର ସ୍ଥିତି। ଜଳେଶ୍ବରର ୮ ରୁ ଉର୍ଦ୍ଧ ଆଳୁ ଗୋଦାମ ରହିଥିବା ବେଳେ ପୂର୍ବରୁ ଏସବୁ ଗୋଦାମକୁ ସାଢେ ୩ ହଜାର କ୍ୟୁଣ୍ଟାଲ ଆଳୁ ସପ୍ତାହକୁ ଆସୁଥିଲା। ଏବେ ଏହାର ଅଧା ଆଳୁ ମଧ୍ୟ ଆସି ପାରୁନାହିଁ ବୋଲି ଜଳେଶ୍ୱରର କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0