ନୂଆଦିଲ୍ଲୀ: ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। କୋଭିଡ୍-୧୯ ସଙ୍କଟ ଦୃଷ୍ଟିରୁ ଅନଲାଇନ୍ ଓ ଅଫଲାଇନ୍ ପରୀକ୍ଷା ବାତିଲ କରିବା ଲାଗି ଆବେଦନକାରୀମାନେ କରିଥିବା ଦାବିକୁ ସୁପ୍ରିମ୍ କୋର୍ଟ ଖାରଜ କରିବା ସହ ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି। ତେବେ ପରୀକ୍ଷା କରାଇବାକୁ ଅନୁମତି ମିଳିବା ପରେ ଏବେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନକୁ ପରିବର୍ତ୍ତନ କରାଯାଇଛି। ଏବେ ଅଗଷ୍ଟ ୧୨ରୁ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୦, ରାତି ୧୧.୪୫ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ପୂର୍ବରୁ ଇ-ସ୍ପେସ ହଲ୍ ଟିକେଟ୍ ଉପଲବ୍ଧ ହେବା ତାରିଖ ସେପ୍ଟେମ୍ବର ୨୦ ଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର ୩୦ କରାଯାଇଛି। ସେପ୍ଟେମ୍ବର ୩୦ରେ ଆବେଦନକାରୀ ସେଠାରୁ ହଲ୍ ଟିକେଟ୍ ଡାଉନଲୋଡ କରିପାରିବେ। ଅକ୍ଟୋବର ୧୦ରୁ ଅକ୍ଟୋବର ୧୯ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୨, ରାତି ୧୧.୪୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ଓ କଲେଜ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ତେବେ ଏ ନେଇ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0