ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କରୋନା ବିରୋଧୀ ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନାହିଁ। ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ସେ ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି। ଏହି ଉଦ୍ଘାଟନ ଅବସରରେ କୁହାଯାଇଛି, ପ୍ରାଥମିକ ଅବସ୍ଥାରେ ପ୍ଲାଜମା ଥେରାପି କେବଳ ଏସ୍ସିବିରେ ଉପଲବ୍ଧ ଅଛି। ପରେ ଅନ୍ୟ ୩ଟି କୋଭିଡ୍ ହସ୍ପିଟାଲରେ ସମ୍ ଓ କିମ୍ସ (ଭୁବନେଶ୍ୱର) ଏବଂ ଅଶ୍ୱିନୀ ହସ୍ପିଟାଲ (କଟକ)ରେ ମଧ୍ୟ ଉପଲବ୍ଧ ହେବ।
ସୂଚନାଯୋଗ୍ୟ ଯେ, ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ଏହି ଥେରାପି ପୂର୍ବରୁ ମଧ୍ୟ ଅନ୍ୟ ସଂକ୍ରାମକ ରୋଗ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଭାବେ ଅସୁସ୍ଥ ଅନ୍ୟ ରୋଗୀଙ୍କୁ ଦିଆଗଲେ ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କରୋନାରୁ ସୁସ୍ଥ ଲୋକେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।



Visitors Today : 6
Total Visitors : 130579
Total Views : 9892135
Visitors Online Now : 0