ପାରାଦୀପ: ୭ ଜଣଙ୍କୁ ରାତାରାତି ଉଠାଇ ନେଲା ପୁଲିସ୍ । ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ପାରାଦୀପଗଡ଼ ଗାଁରେ ଘଟିଯାଇଛି। ପୁଲିସ୍- ଗାଁ ଲୋକଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଭିଯୁକ୍ତକୁ ଧରିବାକୁ ଯାଇଥିବା ଆକ୍ସନ ମୁଡକୁ ଆସିଯାଇଛି ପୁଲିସ୍। ପୁଲିସ୍କୁ ବାଡ଼େଇ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ଛଡ଼ାଇନେଇଥିବା ବେଳେ ପୁଲିସ୍ ବି ୭ ଜଣଙ୍କୁ ଉଠାଇ ନେଇଛି। ପାରାଦୀପ ଗଡ଼ ଗାଁର ତ୍ରିନାଥ ଦଳେଇଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗର ମାମଲା ରହିଛି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ଅଭୟଚାନ୍ଦପୁର ଥାନା ପୁଲିସ ସାଦା ପୋଷାକରେ ଗତକାଲି ସନ୍ଧ୍ୟାରେ ପାରାଦୀପ ଗଡ଼ ଗାଁକୁ ଯାଇଥିଲା। ପୁଲିସ ତାକୁ ଧରି ଆଣୁଥିବା ବେଳେ ପରିବାର ଓ ଗାଁ ଲୋକେ ବିରୋଧ କରିଥିଲେ। ପରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସକୁ ଆକ୍ରମଣ କରିଥିବା ଲୋକମାନେ ଫେରାର ହୋଇଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଡିସନାଲ ଏସ୍ପି କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0