ଉତ୍ତରପ୍ରଦେଶର ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ନେଇ ଆକ୍ସନ୍ମୁଡ୍ରେ କଂଗ୍ରେସ୍। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପୂରା ଦମ୍ରେ ଲାଗି ପଡ଼ିଛି ଗାନ୍ଧି ପରିବାର। ୟୁପି କଂଗ୍ରେସକୁ ଶକ୍ତିଶାଳି କରିବା ପାଇଁ ଲାଗି ପଡ଼ିଥିବା ପ୍ରିୟଙ୍କା ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଶନିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ‘ବାରବାଙ୍କି ପ୍ରତିଜ୍ଞା ୟାତ୍ରା’ର ଶୁଭାରମ୍ଭ କରିଛନ୍ତି । ୨୦୨୨ ବିଧାନ ସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦଳ ପକ୍ଷରୁ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ତଥା ବାରବାଙ୍କିରୁ ବୁନ୍ଦେଲଖଣ୍ଡ, ଶାହରାନପୁରରୁ ମଥୁରା ଏବଂ ବାରଣାସିରୁ ରାଏବରେଲି ୩ଟି ପ୍ରତିଜ୍ଞା ୟାତ୍ରା ବାହାରିବ। ଅକ୍ଟୋବର ୨୩ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ। ବାରବାଙ୍କିରେ ଜନତାଙ୍କୁ ଉଦବୋଧନ ଦେଇ ପ୍ରିୟଙ୍କା କେତେକ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ବିଧାନ ସଭା ନିର୍ବାଚନ ପାଇଁ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ସଂରକ୍ଷଣ, ଦ୍ୱାଦଶ ପାସ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍ ଏବଂ ସ୍ନାତ୍ତୋକତର ଗ୍ରାଜୁଏଟ ଛାତ୍ରୀଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। କୃଷକମାନଙ୍କ ଋଣ ଛାଡ଼, ୨୦ ଲକ୍ଷ ସରକାରୀ ନିଯୁକ୍ତି, ମହାମାରୀ ସମୟରେ ବିଜୁଳି ବିଲ ଛାଡ଼, କୋଭିଡ୍ ପୀଡ଼ିତଙ୍କୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି। ଯଦି ଦଳ କ୍ଷମତାକୁ ଫେରେ ତେବେ କଂଗ୍ରେସ ତାର ପ୍ରତିଶ୍ରୁତି ପାଳନ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0