ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସପକ୍ଷରେ ବାହାରିଥିବା ଅଭିନେତା ତଥା ସମାଜିକ କର୍ମୀ ଦୀପ ସିଦ୍ଧୁ ଗିରଫ ହୋଇଛନ୍ତି । ଦିଲ୍ଲୀ ପୁଲିସ ଏକ ଟ୍ୱିଟ୍ ଯୋଗେ ଏହି ଖବରକୁ ପ୍ରକାଶ କରିଛନ୍ତି । ତାଙ୍କ ଗିରଫଦାରି ଲାଗି ପୂର୍ବରୁ ଦିଲ୍ଲୀ ପୁଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଦୀପ ସିଦ୍ଧୁ ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକମାନଙ୍କୁ ଲାଲକିଲ୍ଲାରେ ପ୍ରବେଶ ଲାଗି ଉସ୍କାଉଥିଲେ । ସେ ଲାଲକିଲ୍ଲାରେ ଶିଖ ପତାକା ଉତ୍ତୋଳନରେ ସମ୍ପୃକ୍ତ ଅଛନ୍ତି ବୋଲି ମଧ୍ୟ କୁହାଯାଇଛି ।
ଦୀପ ସିଦ୍ଧୁ କୃଷକ ପ୍ରତିବାଦକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବା ନେଇ ଚାଷୀ ସଂଗଠନରୁ ଅଭିଯୋଗ ଆସିଛି । ସେପଟେ ଦୀପ ସିଦ୍ଧୁ ଏହାକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡ଼ିଆରେ ଦୁଇଟି ଭିଡ଼ିଓ ପୋଷ୍ଟ କରି ସେଥିରେ କହିଥିଲେ ଯେ ଆନ୍ଦୋଳନକାରୀମାନେ ସ୍ୱ ଇଛାରେ ଲାଲକିଲ୍ଲାକୁ ଯାଇଥିଲେ । ପୁଲିସ କହିବା ଅନୁଯାୟୀ , ଦୀପ ସିଦ୍ଧୁଙ୍କର ଜଣେ ବନ୍ଧୁ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।
ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା ଦୀପ ସିଦ୍ଧୁଙ୍କ ସମେତ ଅନ୍ୟ ୩ଜଣଙ୍କ ଗିରଫ ଲାଗି ମଧ୍ୟ ଆହୁରି ୫୦ ହଜାର ଟଙ୍କାର ଅର୍ଥରାଶିର ଘୋଷଣା କରିଥିଲା ଦିଲ୍ଲୀ ପୁଲିସ । ଗତ ଜାନୁଆରୀ ୨୬ ତାରିଖରେ ଘଟିଥିବା ହିଂସାକାଣ୍ଡ ସମ୍ବଦ୍ଧୀୟ ହୋଇଥିବା ଏତଲା ଏବଂ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ଲାଗି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଥିଲେ ।
ଚାଷି ଆନ୍ଦୋଳନ ବିରୋଧରେ ପ୍ରତିବାଦ କରୁଥିବା କୃଷି ମାନଙ୍କୁ ଗତକାଲି ରାଜ୍ୟସଭାରେ ଉଦବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନାକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୋଦିଙ୍କ ନିମନ୍ତ୍ରଣ ପରେ ଚାଷିମାନେ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ପାଇଁ କହିଛନ୍ତି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0