ନୂଆଦିଲ୍ଲୀ: ଅନଲାଇନରେ କିଣାବିକା କରୁଥିଲେ ସାବଧାନ । ଗ୍ରାହକ ସାଜି ଆସିବେ, ଆଉ ଆକାଉଣ୍ଟ ଖାଲି କରିଦେବେ ସାଇବର ଠକ । ଆଉ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଝିଅ । ଅନଲାଇନରେ ସୋଫା ବିକ୍ରି କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ । ଅନଲାଇନ ଠକେଇ ମାଧ୍ୟମରେ ୩୪୦୦୦ ଟଙ୍କା କେଜ୍ରିୱାଲଙ୍କ ଝିଅ ଠାରୁ ଠକି ନେଇଛନ୍ତି ସାଇବର ଠକ । ସୂଚନା ମୁତାବକ, ଅନଲାଇନରେ କିଣାବିକାର ମାଧ୍ୟମ ପାଲଟିଥିବା ଓଏଲଏକ୍ସରେ ନିଜର ପୁରୁଣା ସୋଫା ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ କେଜ୍ରିୱାଲଙ୍କ ଝିଅ ହର୍ଷିତା । ଆଉ ବିଜ୍ଞାପନ ଦେଖିବା ପରେ ଗ୍ରାହକ ସାଜି ଉଭା ହୋଇଥିଲେ ସାଇବର ଠକ । ପୁରୁଣା ସୋଫା କିଣିବାକୁ କହି ହର୍ଷିତାଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିଲା ସାଇବର ଠକ । ଆଉ ଏଥିପାଇଁ ପ୍ରଥମେ ହର୍ଷିତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ମଧ୍ୟ ପଠାଇଲା । ତେବେ ପୂରା ଟଙ୍କା ଦେବା ପୂର୍ବରୁ ଗୋଟିଏ କ୍ୟୁଆର କୋଡ ପଠାଇ ଏହାକୁ ସ୍କାନ କରିବାକୁ ହର୍ଷିତାଙ୍କୁ କହିଥିଲା ସାଇବର ଠକ । ପ୍ରଥମରୁ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବାରୁ ହର୍ଷିତାଙ୍କର ମଧ୍ୟ ସାଇବର ଠକଙ୍କ ଉପରେ ଟିକିଏ ବି ସନ୍ଦେହ ହୋଇନଥିଲା । ବରଂ ପୂରା ଟଙ୍କା ପାଇବାକୁ ସାଇବର ଠକଙ୍କ କହିବା ଅନୁଯାୟୀ କୋଡ ସ୍କାନ କରିଥିଲେ ହର୍ଷିତା । କିନ୍ତୁ ଏହି ଗୋଟିଏ ଭୁଲ ଯେ ତାଙ୍କ ଆକାଉଣ୍ଟ ଖାଲି କରିଦେବ ତାହା କେବେ କଳ୍ପନା ମଧ୍ୟ କରିନଥିଲେ ହର୍ଷିତା । ସାଇବର ଠକ ପଠାଇଥିବା କୋଡ ସ୍କାନ କରୁକରୁ ଖାଲି ହୋଇଯାଇଥିଲା ଆକାଉଣ୍ଟ । ଦୁଇଟି ପର୍ୟ୍ୟାୟରେ ପ୍ରାୟ ୩୪ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା, ଏପରି ଭାବେ ମୋଟ ୩୪ ହଜାର ଟଙ୍କା ବାସ କିଛି କ୍ଷଣ ମଧ୍ୟରେ ହର୍ଷିତାଙ୍କ ଆକାଉଣ୍ଟରୁ ଉଡାଇନେଇଥିଲେ ସାଇବର ଠକ । ଠକେଇର ଶିକାର ହେବା ପରେ ଏ ବାବଦରେ ସିଭିଲ ଲାଇନ୍ସ ଥାନାରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0