ଶ୍ରୀମନ୍ଦିରର ଆଠ ଦ୍ୱାରରେ ଲାଗିବ ରୁପା ଚାଦର। ପ୍ରଥମେ ୩ଟି ଦ୍ବାର କଥା କୁହାଯାଉ ଥିବା ବେଳେ ଏବେ ଆଉ ୫ଟି ଦ୍ବାର ଏଥିରେ ସାମିଲ ହୋଇଛି। ପୁରୁଣା ହୋଇଯାଇଥିବା ଏହି ଆଠଟି ଦ୍ବାରକୁ ବିଦେଶରୁ ମଗାଯାଉଥିବା ବର୍ମା ଟିକରେ ସଂପୂର୍ଣ୍ଣ ନୂଆ ଗଢ଼ାଯିବ। ପରେ ଏହା ଉପରେ ସ୍ବତନ୍ତ୍ର ଶୈଳୀରେ ସୌନ୍ଦର୍ୟ୍ୟପୂର୍ଣ୍ଣ କାରୁକାର୍ଯ୍ୟ ପୂର୍ବକ ୨୪୧୩ କେଜିର ରୁପା ଚାଦର ବ୍ୟବହାର କରାଯାଇ ପୁରୁଣା ଦ୍ବାର ବଦଳରେ ନୂଆ ଦ୍ବାର ଲଗାଯିବ। ମୁମ୍ବାଇର ଜନୈକ ଭକ୍ତ ଏହି ରୁପା ଦାନସୂତ୍ରରେ ଦେଉଛନ୍ତି। ଦାନରେ ମିଳିଥିବା ଏହି ରୁପାର ମୂଲ୍ୟ ପ୍ରାୟ ୧୫ କୋଟି ୩୨ ଲକ୍ଷ ଟଙ୍କା।ଆଠଟି ଦ୍ବାରର କାଠ କାମ ଶେଷ ହେବା ପର୍ୟ୍ୟନ୍ତ ୨୪୧୩ କେଜି ରୁପା ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯିବ। ଏ ନେଇ ଆସନ୍ତା ୨୭ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ରୁପା ଚାଦରର ଡିଜାଇନ୍ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମନ୍ଦିର ବେଢ଼ା ଭିତରେ ଥିବା କଳାହାଟ ଦ୍ବାର, ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ସାତପାହାଚ ଦ୍ବାର, ପଶ୍ଚିମ ଭୋଗମଣ୍ଡପ ଦ୍ବାର, ନୃସିଂହ ମନ୍ଦିର ଗର୍ଭଗୃହ ଦ୍ବାର, ବିମଳା ମନ୍ଦିର ଗର୍ଭଗୃହ ଦ୍ବାର ଓ ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ଦ୍ବାରକୁ ନୂଆ ଶୈଳୀରେ ନିର୍ମାଣ କରାଯିବ। ଏହା ଶାଗୁଆନ କାଠରେ ନିର୍ମାଣ ହେବ। ଯେଉଁଥିରେ ୨,୪୧୩ କେଜି ରୁପା ଚାଦର ଦିଆଯିବ। ଦ୍ବାର ପାଇଁ ଆବଶ୍ୟକ କାଠ ମାଲେସିଆରୁ ମଗାଯାଉଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0