ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ଲଢ଼େଇ ଅଦାଲତ ମାଧ୍ୟମରେ ଲଢ଼ାଯାଉଛି। କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ବିଧାନସଭା ବାଚସ୍ପତି ସି.ପି. ଯୋଶୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜସ୍ଥାନ ହାଇକୋର୍ଟ ବାଚସ୍ପତିଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ୨୪ ତାରିଖ ପର୍ୟ୍ୟନ୍ତ ରୋକ୍ ଲଗାଇବା ପରେ ବାଚସ୍ପତି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହାସହ ଆବେଦନ ଦାଖଲ କରି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଗୁହାରି କରିଛନ୍ତି। କିନ୍ତୁ ପ୍ରଧାନ ବିଚାରପତି ଅରବିନ୍ଦ ବୋବଡ଼େ ଆଜି କହିଛନ୍ତି ଯେ ମାମଲାକୁ ତୁରନ୍ତ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ । ନିର୍ଦ୍ଧାରିତ ପ୍ରକ୍ରିୟାରେ ଏ ସଂକ୍ରାନ୍ତ ଶୁଣାଣି ହେବ ।

ବାଚସ୍ପତିଙ୍କ ଆବେଦନରେ କୁହାଯାଇଛି ଯେ ସୁପ୍ରିମ୍ କୋର୍ଟଙ୍କ ପୂର୍ବ ରାୟ ମୁତାବକ କୌଣସି ଅଦାଲତ ବାଚସ୍ପତିଙ୍କ ଦ୍ବାରା ଚାଲିଥିବା କାର୍ୟ୍ୟକାରୀ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ସଚିନ ପାଇଲଟ୍ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି କୌଣସି ନିଷ୍ପତ୍ତି ନନେବା ପର୍ୟ୍ୟନ୍ତ ଏଥିରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନରେ କୁହାଯାଇଛି। ଅନ୍ୟପକ୍ଷରେ ଆଜି ସଚିନ ପାଇଲଟ୍ ଗୋଷ୍ଠୀ ପକ୍ଷରୁ ମଧ୍ୟ ସୁପ୍ରିମ୍ କୋର୍ଟରେ ଆବେଦନ କରାଯାଇଛି। ସେମାନଙ୍କ ପକ୍ଷ ଶୁଣିବା ପରେ ହିଁ ବାଚସ୍ପତିଙ୍କ ଆବେଦନ ଉପରେ ଶୁଣାଣି ହେଉ ବୋଲି ସେମାନେ ନିବେଦନ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0