ଜୟପୁର ୨୪।୦୭: ପ୍ରଥମେ ରାଜସ୍ଥାନରେ ହ୍ଵିପ୍ ଉଲ୍ଲଂଘନ ମାମଲାରେ ରାଜସ୍ଥାନ ହାଇକୋର୍ଟ ଯଥାସ୍ଥିତି ବଜାୟ ରଖିବା ଆଦେଶ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକମା୍ତ୍ର ସାହାରା ବିଧାନସଭା ଅଧିବେଶନ ରହିଯାଇଥିଲା । କିନ୍ତୁ, ଗେହଲଟଙ୍କ ବିଧାନସଭା ଡକାଇବାକୁ କରାଯାଇଥିବା ଅପିଲକୁ ନେଇ ରାଜ୍ୟପାଳ କୌଣସି ନିଷ୍ପତି ଦେଇନଥିବାରୁ ଗେହଲଟ ସମ୍ପୂର୍ଣ୍ଣ ନିରାଶ ହୋଇଯାଇଛନ୍ତି ।
ରାଜସ୍ଥାନ ରାଜନୀତିର କ୍ଷମତା ଲଢେଇ ଦିନକୁ ଦିନେ ଗୋଟିଏ ପରେ ଗୋଟେ ରୋଚକ ମୋଡ଼ ନେବାରେ ଲାଗିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ୍ଙ୍କ ମଧ୍ୟରେ ଲଢେଇ ପରେ ଏବେ ରାଜ୍ୟପାଳ ଓ ଗେହଲଟ ମୁହାଁମୁହିଁ ସ୍ଥିତିରେ ଥିବା ନଜର ଆସିଛି। କରୋନା ସଙ୍କଟ ସ୍ଥିତିକୁ ଦେଖି ଏବେ ବିଧାନସଭା ଅଧିବେଶନ ଡକାଇବା ଉଚିତ୍ ନୁହେଁ ବୋଲି ରାଜ୍ୟପାଳ କହିବା ପରେ ଗେହଲଟ ଗୋଷ୍ଠୀର ବିଧାୟକ ରାଜଭବନରେ ଧାରଣା କରି ଅଧିବେଶନ ପାଇଁ ଅଡ଼ି ବସିଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ବିଧାୟକ କରୋନା ସଂକ୍ରମିତ । ତେଣୁ ଏମିତି ସ୍ଥିତିରେ ବିଧାନସଭା ଅଧିବେଶନ ଡକାଇବା ଠିକ୍ ନୁହେଁ ବୋଲି ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି । ଅଶୋକ ଗେହଲଟଙ୍କ ଗୋଷ୍ଠୀଙ୍କୁ ପ୍ରଥମେ ହାଇକୋର୍ଟରୁ ଝଟକା ଲାଗିବା ପରେ ଏବେ ରାଜଭବନରୁ ମଧ୍ୟ ଆଶାର କିରଣ ନଜର ଆସୁନାହିଁ।
ଏପରି ସ୍ଥିତିରେ ଅଶୋକ ଗେହଲଟ୍ ସରକାର ସୁପ୍ରିମକୋର୍ଟର ପୁଣି ଥରେ ଦ୍ଵାରସ୍ଥ ହୋଇ ପାରନ୍ତି ବୋହି ଚର୍ଚ୍ଚା ଜୋର ଧରିଛି । ତେବେ ତୁରନ୍ତ ବିଧାନସଭା ଅଧିବେଶନ ଡକାଇବା ଓ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ସରକାରଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଦାବି କରାଯିବ ବୋଲି କୁହାଯାଉଛି ।
ବର୍ତ୍ତମାନ ଗେହଲଟ ସରକାରଙ୍କ ସମ୍ମୁଖରେ ଏହା ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଗୋଟିଏ ପଟେ ବିଧାୟକଙ୍କ ଦାବି ଗେହଲଟ ସରକାର ଶୀଘ୍ର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରନ୍ତୁ ଓ ଶୀଘ୍ର ହୋଟେଲ୍ରୁ ବାହାରକୁ ଆସନ୍ତୁ। ଅନ୍ୟପଟେ ପାଇଲଟ୍ ସମୂହକୁ ବାଚସ୍ପତିଙ୍କ ପକ୍ଷରୁ ଜାରି ନୋଟିସ୍ ଉପରେ ମଧ୍ୟ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏପରି ପରିସ୍ଥିତିରେ ରାଜସ୍ଥାନ ରାଜନୀତି ଆଗାମୀ ଦିନରେ ଆହୁରି ଘନୀଭୂତ ହେବ ଏବଂ ମାମଲା ଶୁଣାଣି ପକ୍ରିୟା ବିଳମ୍ବ ହେବ ବୋଲି ପୂର୍ବାନୁମାନ କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0