ଆସନ୍ତା ୧୧ ତାରିଖରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ପ୍ରଥମ ପର୍ୟ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତରର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମାରୀକୁ ଦେଖି ରେଭେନ୍ସା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । କ୍ଲାସ ରୁମରେ ପଢ଼ିବାକୁ ଆସିବାକୁ ଇଛା ରଖିଥିବା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ସାଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କଠାରୁ ଆପତ୍ତିବିହୀନ ପ୍ରମାଣପତ୍ର ଆଣିବାକୁ କୁହାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ମହାମାରୀ ପାଇଁ ହଷ୍ଟେଲ, କ୍ଲାସରୁମ ଓ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ କେଉଁ ପ୍ରକାର ନିୟମ ରହିବ ତାହା ବିଶ୍ବବିଦ୍ୟାଳୟର ୱେବସାଇଟରେ ଖୁବ ଶୀଘ୍ର ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ରାଜ୍ୟ ସରକାରଙ୍କନିର୍ଦ୍ଦେଶକ୍ରମେ ଆସନ୍ତା ୧୧ ତାରିଖରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହାସହ ୧୦ ତାରିଖରେ ବିଶ୍ବବିଦ୍ୟାଳୟର ବିଭିନ୍ନ ହଷ୍ଟେଲଗୁଡିକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ନିର୍ଦ୍ଦେଶ ଅନୁସାରେ ପ୍ରଥମେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ରୁମ ଖୋଲାଯିବ। ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ରେଭେନ୍ସାର ସମସ୍ତ ହଷ୍ଟେଲ ଓ କ୍ଲାସରୁମକୁ ସାନିଟାଇଜ କରାଯିବ । କ୍ଲାସରୁମରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ହାତ ସାନିଟାଇଜ କରିବେ। ସମସ୍ତ ପରିସ୍ରାଗାର ଓ ଶୌଚାଳୟରେ ହ୍ୟାଣ୍ଡୱାସ ରଖାଯିବ । କ୍ଲାସ୍ରୁମ ସିଟ ସଂଖ୍ୟାର ପଚାଶ ଭାଗ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସମୟରେ ଡକାଯିବ। ଏଥିପାଇଁ କ୍ଲାସଗୁଡିକୁ ଏକାଧିକ ବ୍ୟାଚରେ ବଣ୍ଟାଯିବ। ରେଭେନ୍ସା ପରିସର ଓ ଲନରେ ଛାତ୍ରଛାତ୍ରୀଙ୍କୁ ବିନା କାରଣରେ ବସିବା ଓ ବୁଲିବା ଉପରେ କଟକଣା ଲଗାଯାଇଛି। ଶେଷବର୍ଷର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ କରିବାକୁ କୁହାଯାଇଛି। ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ସେମାନଙ୍କୁ ବିଶ୍ବବିଦ୍ୟାଳୟକୁ ଆସିବାକୁ ଦିଆଯିବ। ସମସ୍ତ କ୍ଲାସରୁମ ଓ ବିଭାଗରେ କୋଭିଡ କଟକଣା ପାଳନ କରାଯାଉଛି କି’ ନାହିଁ ତାହା ଦେଖିବାକୁ ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି। ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ୧୦ ତାରିଖ ପୂର୍ବରୁ ସାନିଟାଇଜ କରାଯିବା ସହିତ ସେଠାରେ କୋଭିଡ କଟକଣାକୁ ଅଧିକ ଗୁରୁତ୍ବ ଦିଆଯିବ। ହଷ୍ଟେଲଗୁଡିକର ଦାୟିତ୍ବରେ ଥିବା ୱାର୍ଡେନଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0