କରୋନା ମହାମାରୀ ପାଇଁ ରାଜ୍ୟରେ ଶିଶୁମାନଙ୍କୁ ଦିଆଯାଉଥିବା ନିୟମିତ ଟିକାକରଣ ବାଧାପ୍ରାପ୍ତ ହୋଇଛି। ତାଲାବାନ୍ଦ, ସଟଡାଉନ ଓ ସଂକ୍ରମଣ ଅବରୋଧ ଅଞ୍ଚଳ ପାଇଁ ରାଜ୍ୟର ୧୩୫ଟି ବ୍ଲକରେ ନିୟମିତ ଟିକାକରଣ ଧାର୍ୟ୍ୟ ଲକ୍ଷ୍ୟଠାରୁ କମ ରେକର୍ଡ କରାଯାଇଛି। ତେବେ ଏହା ଯୋଗୁଁ ଯେପରି ଶିଶୁମାନଙ୍କ କୌଣସି ସମସ୍ୟା ନ ହୁଏ ଓ ବର୍ଷ ଶେଷ ସୁଦ୍ଧା ଧାର୍ୟ୍ୟ ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଏଥିପାଇଁ ଆସନ୍ତାବର୍ଷ ଫେବ୍ରୁଆରି ପର୍ୟ୍ୟନ୍ତ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ମାର୍ଚ ମାସରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲାବନ୍ଦ ଘୋଷଣା କରାଯାଇଥିଲା। ଗତ ୫/୬ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ଓ ମ୍ୟୁନସିପାଲିଟି ଏଭଳି ଘୋଷଣା କରିଥିଲେ। ଶିଶୁମାନଙ୍କ ପାଇଁ ରାଜ୍ୟରେ ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ନିୟମିତ ଟିକାକରଣ ଜାରି ରହିଛି। ରାଜ୍ୟର ୧୩୫ଟି ବ୍ଲକରେ ୮୫ ପ୍ରତିଶତରୁ କମ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ନଜରକୁ ଆସିବା ପରେ ଧାର୍ୟ୍ୟ ଲକ୍ଷ୍ୟକୁ ପୂରଣ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯେଉଁସବୁ ବ୍ଲକ ଗୁଡ଼ିକରେ କମ ଟିକାକରଣ ହୋଇଛି ସେଠାରେ ପ୍ରତି ସପ୍ତାହର ବୁଧବାର ବାଦ ଅନ୍ୟ ଦୁଇଦିନ ଟିକାକରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତମାସରୁ ଏହି ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆସନ୍ତାବର୍ଷ ଫେବ୍ରୁଆରି ମାସ ପର୍ୟ୍ୟନ୍ତ ଏହା ଚାଲିବ। ସ୍ବତନ୍ତ୍ର ଟିକାକରଣ ଅଭିଯାନ ଫଳରେ ଚଳିତବର୍ଷର ଧାର୍ୟ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକଟ କରିଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0