spot_img

ଧାନକିଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଧାନ ସଂଗ୍ରହ ସମ୍ପର୍କିତ ସରକାରଙ୍କ ନୀତି ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ବଲାଙ୍ଗୀର କୃଷକ ନେତା ଯତି ପ୍ରଧାନଙ୍କ ପକ୍ଷରୁ ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଧାନର ଅଭାବୀ ବିକ୍ରି ରୋକିବାକୁ ରାଜ୍ୟ ସରକାର ସବୁ ବର୍ଷ ଧାନ ସଂଗ୍ରହ ପାଇଁ ସ୍ବତନ୍ତ୍ର ନୀତି କରୁଛନ୍ତି। ଚାଷୀ କିପରି ନିଜ ଧାନ ପାଇଁ ଧାର୍ୟ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ତା’ ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ସାରାରାଜ୍ୟ ପାଇଁ ଧାନ ସଂଗ୍ରହ ସଂପର୍କିତ ଗୋଟିଏ ନୀତି ରହୁଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଧାନ ଫସଲ ହୋଇଥାଏ। ଖରିଫ ଫସଲ ସଂଗ୍ରହ ପାଇଁ ନଭେମ୍ବରରୁ ମାର୍ଚ୍ଚ ମାସ ଧାର୍ୟ୍ୟ ସମୟ କରାଯାଉଥିବା ବେଳେ ରବି ଫସଲ ପାଇଁ ମେ , ଜୁନ୍ ଅବଧି ସ୍ଥିର କରାଯାଉଛି। ଏଥିପାଇଁ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି, ଜିଲ୍ଲାସ୍ତରୀୟ କମିଟି, ସମିତି ସ୍ତରୀୟ କମିଟି ଗୁଡିକୁ ଗଠନ କରାଯାଇ ଧାନ ସଂଗ୍ରହକୁ ବ୍ୟବସ୍ଥିତ କରାଯାଉଛି। କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ନୂଆଁଖାଇ ପୂର୍ବରୁ ଧାନ ଅମଳ ହୋଇଥାଏ। ଏପରି ସ୍ଥିତିରେ ଚାଷୀ ଧାନ ବିକ୍ରି ପାଇଁ ନଭେମ୍ବର ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ଉଚିତ ମନେ ନ କରି ସ୍ଥାନୀୟ ବେପାରୀଙ୍କ ହାତକୁ ନିଜ ଫସଲ ଟେକି ଦେଇଥାଏ। ଏହାଦ୍ବାରା ଧାନର ଅଭାବୀ ବିକ୍ରି ହେଉଛି। ତେଣୁ ଧାନ କ୍ରୟ ପାଇଁ ଯେଉଁ ସମୟ ସ୍ଥିର କରାଯାଉଛି ତାହା ବିଭିନ୍ନ ସ୍ଥାନରେ ଫସଲ ଅମଳର ସମୟକୁ ବିଚାରକୁ ନିଆଯାଇ ପରିବର୍ତ୍ତନ କରାଯାଉ। ପଶ୍ଚିମ ଓଡ଼ିଶାର ଚାଷୀଙ୍କ ନିକଟରୁ ସେପ୍ଟେମ୍ବର ମାସରୁ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ଅଣଜଳସେଚିତ ଏକ ଏକର ଜମି ପାଇଁ ଚାଷୀଙ୍କ ନିକଟରୁ ନିୟମ ଅନୁସାରେ ସରକାରୀ ପ୍ରକ୍ରିୟାରେ ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି। ଧାନ ସଂଗ୍ରହ ନୀତିରେ ଧାନର ଅଭାବୀ ବିକ୍ରି ରୋକିବା ସହିତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ କିପରି ଭାବେ ସମୟରେ ମିଳି ପାରିବ ତା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular