ଝାରସୁଗୁଡା : ଦୀର୍ଘ ୬ ଘଣ୍ଟା ପରେ ଦୁଇ ନିଖୋଜଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ଜଣକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ। ଉଦ୍ଧାର ବ୍ୟକ୍ତି ହେଲେ ଆଦିତ୍ୟ ସାହୁ । ମୃତ ଦୁଇ ଜଣ ହେଲେ ଜିତେନ୍ଦ୍ର ସାହୁ ଓ ପପୁ ସାହୁ। ଏହି ଘଟଣା ଇବ୍ ନଦୀର ରମ୍ପେଲ ସେତୁରେ। ଉଲ୍ଲେଖନୀୟ ଦ୍ରୁତ ବେଗରେ ହାଇୱା ଗାଡିଟି OD23 K 1547ଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବ୍ରିଜର ବ୍ୟାରିକେଟକୁ ଭାଙ୍ଗି ନଦୀ ଭିତରକୁ ଖସି ପଡିଥିଲା। ପ୍ରାୟ ଦୀର୍ଘ ସମୟ ପାଣିରେ ପହଁରି ପହଁରି ଆସୁଥିବା ବେଳେ ଡ୍ରାଇଭର ଆଦିତ୍ୟ ସାହୁଙ୍କୁ ଜଳଭଣ୍ଡାରରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଦେଖି ଉଦ୍ଧାର କରିଥିଲେ। ଆଦିତ୍ୟକୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଦୁର୍ଘଟଣା ଖବର ପାଇବା ପରେ ଘଟଣାସ୍ଥଳରେ ଲଖନପୁର ତହସିଲଦାର, ବ୍ରଜରାଜନଗର ଏସଡିପିଓ, ବନହରପାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ପପୁ ଓ ଜିତେନ୍ଦ୍ରକୁ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଦୀର୍ଘ ୬ ଘଣ୍ଟା ପରେ ନିଖୋଜ ଥିବା ପପୁ ଓ ଜିତେନ୍ଦ୍ରଙ୍କ ମୃତଦେହ ହୀରାକୁଦ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାର ଯୋଗୁଁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଲୋକମାନେ ସମ୍ବଲପୁର ତଥା ବୁର୍ଲା ଡାକ୍ତରଖାନା ଯିବା ପାଇଁ ଅକଥନୀୟ ଦୁର୍ଦ୍ଦଶା ସମ୍ମୁଖୀନ ହେଉଥିଲେ । ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ଉପରେ ୧୪୨କୋଟି ଟଙ୍କା ବ୍ୟୟ ଅଟକଳରେ ୨.୫ କିଲୋମିଟରର ସେତୁ ଗତ ୨୦୧୮ ମସିହାରେ ଲୋକାର୍ପିତ ହୋଇଥିଲା। ଉକ୍ତ ସେତୁ ପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ଝାରସୁଗୁଡା ଜିଲ୍ଲା ଲଖନପୁରକୁ ସୁବିଧାରେ ଗମନାଗମନ ସମ୍ଭବ ହୋଇପାରୁଛି । କିନ୍ତୁ ସେତୁ ଉପରେ ଦ୍ରୁତ ଗତିରେ ଗାଡିଚାଳନା ଏବେ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0