ରାଉରକେଲା : ବୀରମିତ୍ରପୁରର ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ ଖବରକୁ ନେଇ ଚର୍ଚ୍ଚିତ ସଂପୃକ୍ତ ନାବାଳିକାଙ୍କର ପତ୍ତା ମିଳୁନି । ସେ ରାଉରକେଲା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରୁ ନିଖୋଜ ହୋଇଯାଇଛନ୍ତି । ଏ ନେଇ ଛେଣ୍ଡ ଥାନାରେ ମାମଲା ରୁଜୁ ହୋଇଛି । ତେବେ ସୁରକ୍ଷାରେ ଥିବା ଜଣେ ନାବାଳିକା କିପରି ଏସଓଏସ ଭିଲେଜରୁ ନିଖୋଜ ହୋଇଗଲେ ତାହା ଆଲୋଡନ ସୃଷ୍ଟି କରିଛି । ଏହା ପଛରେ କିଛି ସୁଚିନ୍ତିତ ଷଡଯନ୍ତ୍ରର ସନ୍ଦେହ ନେଇ ମଧ୍ୟ ଚର୍ଚ୍ଚା । ତେବେ ପୋଲିସ ତଦନ୍ତ ଜାରି ଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ନାବାଳିକାଙ୍କର ଖୋଜଖବର ମିଳିନଥିବା ବେଳେ ଏ ନେଇ ମଧ୍ୟ ଏସଓଏସ ଭିଲେଜ କର୍ତ୍ତୃପକ୍ଷଙ୍କଠାରୁ କିଛି ଠୋସ୍ ସୂଚନା ମିଳୁନଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ଘଟଣାରେ ବୀରମିତ୍ରପୁର ଥାନା ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀଙ୍କ ନାମ ଆସିଥିଲା । ଥାନାର ଉପର ମହଲାରେ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶିଷ ବୋଷ ସଂପୃକ୍ତ ନାବାଳିକାଙ୍କର ବେଆଇନ ଭାବେ ଗର୍ଭପାତ କରାଇଥିଲେ । ଏହି ମାମଲାର ବୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ଚାକିରୀରୁ ବହିଷ୍କୃତ ହୋଇ ଗିରଫ ହୋଇଥିଲେ । ସେ ଏବେ ସୁନ୍ଦରଗଡ ଜେଲରେ ଅଛନ୍ତି । ସମ୍ପୃକ୍ତ ଡାକ୍ତର ଜେଲରୁ କିଛି ଦିନ ପାଇଁ ପାରୋଲରେ ଆସିଛନ୍ତି ।
ଏହି ଘଟଣା ପରେ ସଂପୃକ୍ତ ନାବାଳିକାଙ୍କୁ ରାଉରକେଲାର ଏସଓଏସ ଭିଲେଜରେ ରଖାଯାଇଥିଲା । ଏବେ ନାବାଳିକା ନିଖୋଜ ପରେ ପୋଲିସ ତନାଘନା ଆରମ୍ଭ କରିଛି । ପୀଡିତା ନାବାଳିକାଙ୍କ ଉତ୍ତମ ଭାବିଷ୍ୟତ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରେ ତାଙ୍କୁ ଅନ୍ତେବାସୀ ଭାବେ ପ୍ରଶାସନର ନିଷ୍ପତ୍ତି ପରେ ରଖାଯାଇଥିଲା । ତେବେ କଡା ସୁରକ୍ଷା ବ୍ୟବସ୍ଥା ଥାଉ ଥାଉ କିପରି ଭାବରେ ନାବାଳିକା ନିଖୋଜ ହେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0