ସମ୍ବଲପୁର: ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ । ୫-ଟି ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଷୋଡଶ ଶତାଦ୍ଦୀରେ ନିର୍ମିତ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ । ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ୟ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ୟ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ୟ୍ୟ କରିବ । ମା’ଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମିରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ । ମନ୍ଦିରର ଚାରି ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ୟ୍ୟାଳୟ, ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ। ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ । ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0