ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ରାସ୍ତା କଡରେ ଗଦା କରିଛନ୍ତି ଟନ ଟନ ବାଲି । ସବୁ ଜାଣି ନିରବ ରହୁଛନ୍ତି ରାଜସ୍ୱ ବିଭାଗ । ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେବାରେ ଲାଗିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବକ୍ସମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ରାଜସ୍ୱ ବିଭାଗର କୈାଣସି ବାଲିଘାଟ ନଥିବା ବେଳେ ସେଠାରେ କେବେ ମଧ୍ୟ ସରକାରୀ ଟେଣ୍ଡର କରାଯାଇନାହିଁ । ହେଲେ ବେଆଇନ ଭାବେ ଲୋକଙ୍କୁ ଭୟଭିତ କରି ଭେଡେନ ନଦୀରେ କିଛି ମୁଷ୍ଠିମେୟ ଲୋକ ଘାଟ ନିର୍ମାଣ କରି ମନ ଇଛା ବାଲି ଉଠାଇ ଚାଲିଛନ୍ତି । ଠାକୁର ନିକ୍ତିମାଲ , କଟୁନଗର ସମେତ ଅନେକ ଯାଗାରେ ଏବେ ଗଦା ହୋଇ ରହିଛି ଟନ ଟନ ବାଲି । ବର୍ତ୍ତମାନ ବର୍ଷା ସମୟରେ ଚଢା ଦରରେ ବାଲି ବିକ୍ରି କରୁଛନ୍ତି ଦଲାଲ। ଆଉ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ବାରମ୍ବାର ଅଭିଯୋଗ କଲେବି କେହି ଶୁଣି ନଥିବା କହିଛନ୍ତି ଗ୍ରାମବାସୀ । ବେଆଇନ ବାଲି ଚୋରାଚାଲାଣକୁ ବିରୋଧ କଲେ ଲୋକଙ୍କୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୁଚିଣ୍ଡା ତହସିଲଦାର ।