spot_img

୨୬ ବର୍ଷର ଇସ୍ରୋ ଗୁପ୍ତଚର ମାମଲାରେ ବୈଜ୍ଞାନିକଙ୍କୁ ମିଳିଲା କ୍ଷତିପୂରଣ

ଥିରୁବନନ୍ତପୁରମ୍‌: ବହୁ ଚର୍ଚ୍ଚିତ ଇସ୍ରୋ ଗୁପ୍ତଚର ମାମଲାର ଆଜି ଅନ୍ତ ଘଟିଛି । କେରଳ ସରକାର ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଉପରେ ଲାଗିଥିବା ମାମଲା ପ୍ରତ୍ୟାହାର କରିଛି । ଏଥି ସହ କୋଟିଏ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ପରେ ସେ ଘୃଣାର ଶିକାର ହୋଇ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ନ୍ୟାୟ ତଥା ସତ୍ୟର ପରିପ୍ରକାଶ ପାଇଁ ସେ ବଞ୍ଚି ରହିଥିଲେ ବୋଲି ୭୯ ବର୍ଷୀୟ ନାରାୟଣନ୍ ପୂର୍ବରୁ ଏକ ସାକ୍ଷାତ୍‌କାରରେ କହିଥିଲେ । ଅପରପକ୍ଷେ , ରକେଟ୍ ଉତ୍‌କ୍ଷେପଣ ଜ୍ଞାନକୌଶଳରେ ନିଜର ଅସାଧାରଣ ଅବଦାନ ପାଇଁ ବୈଜ୍ଞାନିକ ନାରାୟଣଙ୍କୁ ଗତବର୍ଷ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।
ସୁଚନାନୁସାରେ ୧୯୯୪ ମସିହାରେ ଇସ୍ରୋର ଦୁଇ ବୈଜ୍ଞାନିକ ନାମ୍ବି ନାରାୟଣନ୍ ଓ ଡି ଶଶିକୁମାରନ୍ ଅର୍ଥ ଏବଂ ଯୌନ ଲାଳସାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୌଣସି ଶତ୍ରୁ ଦେଶକୁ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ପୁଲିସ ଦ୍ୱାରା ରୁଜୁ ଏହି ମାମଲାରେ ମାଳ ଦ୍ୱୀପର ଦୁଇ ମହିଳା ମଧ୍ୟ ଗିରଫ ହୋଇଥିଲେ । ଏହି ଘଟଣା ପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ କେ. କରୁଣାକରନଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା । ୧୯୯୮ର ସିବିଆଇ ତଦନ୍ତ ରିପୋର୍ଟକୁ ଗ୍ରହଣ କରି ସୁପ୍ରିମ୍ କୋର୍ଟ ୨୦୧୮ରେ ତାଙ୍କ ବିରୋଧରେ ରୁଜୁ ଥିବା ମାମଲାକୁ ରଦ୍ଦ କରିଦେଇଥିଲେ । ନାରାୟନ୍‌ଙ୍କୁ ଅଯଥାରେ ଗିରଫ କରାଯାଇଛି ବୋଲି ସୁପ୍ରିମ୍ କୋର୍ଟ ଟିପ୍ପଣୀ କରିବା ସହ ତାଙ୍କ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଅଧିକ କ୍ଷତିପୂରଣ ପାଇବାକୁ ଯୋଗ୍ୟ, ତେଣୁ ସେ ଏନେଇ ତଳ କୋର୍ଟରେ ଆବେଦନ କରିବାକୁ କହିଥିଲେ । ପୂର୍ବରୁ ଜାତୀୟ ମାନବିକ ଅଧିକାର କମିଶନ ନାରାୟଣନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ କେ ଜୟକୁମାର ନାରାୟଣନଙ୍କ ସହ ଆଲୋଚନା କରି କ୍ଷତିପୂରଣ ରାଶି ଧାର୍ଯ୍ୟ କରିଥିଲେ । ଆଜି ସେ ଏହି ୧.୩ କୋଟି ଟଙ୍କାର ଚେକ୍ ଗ୍ରହଣ ପରେ ତାଙ୍କର ଲଢ଼େଇ ଅନ୍ୟାୟ ବିରୋଧରେ ରହିଥିଲା ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular