ଭୁବନେଶ୍ବର: ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଆଜି ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା ସନ୍ଦେହ ବି ଉପୁଜିଛି। ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ। ମାତ୍ର ସେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ।

ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି।
କିନ୍ତୁ ଦାମ୍ପତ୍ୟ ଜୀବନରେ କୌଣସି କଳହ ନ ଥିଲା, ତେବେ ଗତ କିଛି ଦିନ ହେବ ଆଦିତ୍ୟ ଭୟଭୀତ ରହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଏଣେ ନିଶା ନିବାରଣ ଆନ୍ଦୋଳନରେ ସେ ସକ୍ରିୟ ଥିବା ହେତୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କୁହାଯାଉଥିଲା। ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0