ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ତାଙ୍କ ସହଯୋଗୀମାନଙ୍କ ସହ ଧାରଣାରେ ବସିଥିବା ଜଣାଯାଇଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇସାରିଲେଣି। ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି। ଏଣେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ୱର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0