ଚଣ୍ଡିଗଡ଼: ‘ଜେଲ ଯିବାକୁ ଇଚ୍ଛା ନାହିଁ ତ ବିବାହ କର’। ଏହିପରି ଭାବେ ଜଣେ ପଞ୍ଜାବୀ ଯୁବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯୁବକ ଜଣକ ଜଣେ ତଳ ଜାତିର ଝିଅ ସହ ଶାରୀରିକ ସଂପର୍କ ରଖି ପରେ ବିବାହ କରିବାକୁ ମନା କରିବାରୁ ସୁପ୍ରିମକୋର୍ଟର ମୁଖ୍ୟ ଜଷ୍ଟିସ ଏସ ବୋବଡେ ଯୁବକଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଯଦି ପୀଡ଼ିତା ଯୁବତୀଙ୍କୁ ବିବାହ ନକରନ୍ତି ତେବେ ତାଙ୍କୁ ଜେଲ ଯିବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ଜଷ୍ଟିସ ବୋବଡେ କହିଛନ୍ତି। ସୁପ୍ରିମକୋର୍ଟରେ ଗଠିତ ଏକ ଖଣ୍ଡପୀଠରେ ଯୁବକଙ୍କ ଓକିଲ ଜଣାଇଛନ୍ତି କି ଯୁବକ ଓ ଯୁବତୀ ପରସ୍ପରଙ୍କୁ ବିବାହ କରିବେ ବୋଲି ୨୦୨୦ ଡିସେମ୍ବର ୨୨ ତାରିଖରେ ସ୍ଥିର ହୋଇସାରିଛି। ଦୁଇ ପକ୍ଷର ପରିବାର ଲୋକ ବି ଏହି କଥାରେ ସହମତ। ଏନେଇ ଦୁହେଁ ଯୁବକ ଓ ଯୁବତୀ ଏକ କାଗଜରେ ଦସ୍ତଖତ ବି କରିଛନ୍ତି। ମାତ୍ର ଯୁବତୀ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ଭାରତ ଆସିବା ପରେ ତୁରନ୍ତ ଦୁଇ ଜଣଙ୍କର ବିବାହ କରାଯିବ। ସୂଚନା ମୁତାବକ, ୨୦୧୬ ମସିହାରେ ଯୁବତୀ ଉଚ୍ଚ ଶିକ୍ଷା ଗ୍ରହଣ ସକାଶେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ତାଙ୍କର ଜଣେ ପୁଅ ସହ ପରିଚୟ ହୋଇଥିଲା। ଯୁବକ ଜଣକ ନିଜ ଆଡୁ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମାତ୍ର ଯୁବତୀ ନୀଚ ଜାତିର ହୋଇଥିବାରୁ ବିବାହ ଅସମ୍ଭବ ବୋଲି କହିବାରୁ ତାଙ୍କୁ ବୁଝାଇଲେ ଯୁବକ। ସେ ତାଙ୍କୁ ନିଶ୍ଚୟ ବିବାହ କରିବେ ବୋଲି କହି ତାଙ୍କ ସହ ସଂପର୍କ ରଖିଥିଲେ। ୨୦୧୮ ମସିହାରେ ଯୁବତୀ ଅଷ୍ଟ୍ରେଲିଆରୁ ଭାରତ ଫେରିବା ପରେ ଯୁବକ ଜଣକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଏକ ହୋଟେଲରେ ରଖିଥିଲେ। କିଛି ଦିନ ସଂପର୍କରେ ରହିବା ପରେ ଏହି ବିବାହ ପାଇଁ ତାଙ୍କ ବାପା ରାଜି ନାହାନ୍ତି ବୋଲି ଯୁବକ ଜଣକ ଯୁବତୀଙ୍କୁ ଜଣାଇଥିଲେ। ଯୁବତୀ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଗତ ଅକ୍ଟୋବରରେ ଯୁବକଙ୍କ ବିରୋଧରେ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯାହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ରାୟ ଶୁଣାଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0