ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ପୁଳା ପୁଳା ଅନିୟମିତତା ଏବଂ ବିଭାଗୀୟ ଅବହେଳାର ଫର୍ଦ୍ଦ ଖୋଲିବାରେ ଲାଗିଛି। ନିର୍ମାଣ କାର୍ୟ୍ୟରେ ଅହେତୁଳ ବିଳମ୍ବ ହୋଇଥିବାବେଳେ ତୁରନ୍ତ କାମ ସାରିବାକୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଫଳରେ ତରବରିଆ ଭାବେ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ପ୍ରୟାସ କରାଯାଇଥିଲା। ଅନ୍ୟପଟେ ଗିରଫଦାରୀ ଭୟରେ ବିଭାଗୀୟ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ଠିକାଦାର ଉମରକୋଟରୁ ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଥିବାବେଳେ ଜାଣିଶୁଣି ଖସାଇ ଦେବାକୁ ଏତଲା ଦେବାରେ ବିଳମ୍ବ କରାଗଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ଘଟଣା ପରେ ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଗତକାଲି ରାତିରେ ହିଁ ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ଯନ୍ତ୍ରୀ ଆଶିଷ କୁମାର ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏତଲା ଦେବା ପରେ ହଠାତ ଦୁଇ ଯନ୍ତ୍ରୀ ଏବଂ ଠିକାଦାର କେଉଁଆଡ଼େ ଚାଲି ଯାଇଥିବା ଜଣାପଡ଼ିଛି। ସେମାନଙ୍କ ପତ୍ତା ମିଳୁ ନ ଥିବାବେଳେ ଗତକାଲିଠାରୁ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉମରକୋଟରେ ଡେରା ପକାଇ ଘଟଣା ଉପରେ ନଜର ରଖିଛନ୍ତି। ଖସି ପଡ଼ିଥିବା ଛାତ ତଳେ କେହି ରହିଯାଇ ପାରନ୍ତି ସନ୍ଦେହ କରି ଗତକାଲି ରାତିରେ ହିଁ ଜେସିବି ଲଗାଇ ସମସ୍ତ କଂକ୍ରିଟ ବାହାର କରାଯାଇଥିଲା। ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ଯେ, ମୃତକ ବ୍ୟକ୍ତିଙ୍କ ପରିବାରକୁ ୪୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ମୃତକ ୱାର୍କ ସରକାର ହୋଇଥିବାରୁ ପରିବାରକୁ ୧୦ଲକ୍ଷ ଟଙ୍କା ବୀମା ରାଶି ମିଳିବ। ସେହିପରି ନିର୍ବାହୀ ଯନ୍ତ୍ରୀଙ୍କ ଅଜଣାତରେ ଛାତ ପଡ଼ିଥିବାରୁ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଯେଉଁଠି ବି ଅଭିଯୁକ୍ତମାନେ ଲୁଚି ରହିଥିଲେ ମଧ୍ୟ ସନ୍ଧାନ କରି ଗିରଫ କରାଯିବ ବୋଲି କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0