ରୁଷର ସାଇବେରିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାକାର କେମେରୋଭୋ ଅଞ୍ଚଳର ଏକ କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ବଡ଼ ଦୁର୍ଘଟଣାରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ ୬ ଜଣ ଉଦ୍ଧାରକାରୀ ଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ମର୍ମନ୍ତୁଦ ଖଣି ଦୁର୍ଘଟଣା ବୋଲି ଜଣାପଡିଛି। କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯେଉଁକାରଣରୁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଏହି ବିସ୍ଫୋରଣ ହଠାତ୍ ଘଟିଥିଲା, ଯେଉଁଥିପାଇଁ ଅନେକ ଲୋକଙ୍କୁ ସେଠାରୁ ରକ୍ଷା ପାଇବା ସୁଯୋଗ ମଧ୍ୟ ମିଳିପାରିନଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଏବଂ ପୁଲିସ ସେଠାରେ ପହଞ୍ଚିଥିଲା। ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥି ସହିତ କେମେରୋଭୋ ଅଞ୍ଚଳରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ତିନି ଦିନିଆ ଶୋକ ଘୋଷଣା କରିଛି। ରୁଷର ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଲିଷ୍ଟଭ୍ୟାଜନାୟା ଖଣିରେ କୌଣସି ଜୀବନ୍ତ ଲୋକଙ୍କୁ ଉଦ୍ଧାର କରିବାର ସୁଯୋଗ ମିଳିନାହିଁ। ଏବେବି ସେଠାରେ ଅନେକ ମୃତଦେହ ପଡ଼ି ରହିଛି, ଯେଉଁମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0