spot_img

ନୂଆ ଋଣନୀତି କର୍ମୀ ସନ୍ତୁଷ୍ଟିକରଣ ନୀତିରେ ବି.ଜ.ଦ….

ଭୁବନେଶ୍ୱର(ଚନ୍ଦନ ପଣ୍ଡା): ପୌର ସଂସ୍ଥାଗୁଡ଼ିକୁ ଦୀର୍ଘ ଅଢେଇ ବର୍ଷରୁ ଅଧିକ ପଙ୍ଗୁ କରି ରଖିଥିବା ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳରେ ଥିବା ଅସନ୍ତୋଷ ସରକାର ଓ ସଂଗଠନ ପ୍ରତି ବଢ଼ୁଥିବା ଆକ୍ରୋଶ କୁ ଦୂର କରିବା ପାଇଁ ଶାସକ ବିଜେଡି ଏବେ ନିଜର ରଣନୀତି ବଦଳାଇଛି । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆପଣାଇଥିବା ରଣକୌଶଳରେ କେତେକ ପରିବର୍ତ୍ତନ କରି ଏବେ ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି । ବିଜେଡି ମୁଖିଆ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତମାସର କଳାହାଣ୍ଡି ଜିଲ୍ଲା ଗସ୍ତବେଳ ସେଠାରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାପରେ ଅନୁରୂପ ଭାବେ ଆସନ୍ତାକାଲି ସୁନ୍ଦରଗଡ଼ ଯିବା ପାଇଁ ଯୋଜନା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି | ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତବେଳେ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ତା’ର ଫାଇଦା ନେବାକୁ ବିଜୁ ଜନତା ଦଳ ସପ୍ତାହ ହେବ ପ୍ରସ୍ତୁତ ଚଳାଇଛି | ମାଳମାଳ ନେତା ସୁନ୍ଦରଗଡରେ ଡେରା ପକାଇଛନ୍ତି | ଜିଲ୍ଲାର ୧୭ଟି ବ୍ଲକ ୧୭ଜଣ ମନ୍ତ୍ରୀ, ୭୦ଜଣ ବିଧାୟକ ଓ ୪୦ଜଣ ଆଗଧାଡ଼ିର ନେତା ସୁନ୍ଦରଗଡ଼ ଜିଲ୍ଲାରେ ଡେରା ପକାଇ ବିଭିନ୍ନ ଗାଁ ଗହଳିକୁ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ ଓ ଆଡମ୍ବର ପୂର୍ଣ୍ଣ କରିବାକୁ ଲାଗି ପଡିଛନ୍ତି | କାରଣ ସୁନ୍ଦରଗଡର ବି.ଜ.ଦ ସଂଗଠନ ଅନ୍ୟ ଜିଲ୍ଲା ତୁଳନାରେ ଦୁର୍ବଳ | ସୁନ୍ଦରଗଡ ଲୋକସଭାର ୭ ଟି ଆସନରୁ ବଣାଇ ସି.ପି .ଏମ ହାତରେ ଥିବାବେଳେ କେବଳ ରାଉରକେଲା ଓ ରଘୁନାଥପଲ୍ଲୀ ବିଜେଡି ହାତରେ ,ରାଜଗାଙ୍ଗପୁର କଂଗ୍ରେସ ଓ ବାକି ସୁନ୍ଦରଗଡ ଲୋକସଭା ଓ ସୁନ୍ଦରଗଡ ବିଧାନସଭା ସହିତ ତଲସରା ଓ ବୀରମିତ୍ରପୁର ବିଜେପି ହାତରେ |ତେଣୁ ଏଠାରେ କୁହାଯାଇପାରେ ବିଜୁ ଜନତା ଦଳ ମୋଟାମୋଟି ଭାବେ ପଛରେ ଅଛି ସୁନ୍ଦରଗଡ ଜିଲ୍ଲାରେ | ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ଯେଉଁସବୁ ପ୍ରକଳ୍ପ ଶିଳାନ୍ୟାସ ହେବ ତାହା ଆଗାମୀ ୬ମାସ ମଧ୍ୟରେ ସେଗୁଡ଼ିକର କାର୍ଯ୍ୟାଦେଶ ଦଳୀୟ କର୍ମୀଙ୍କୁ ଦିଆଯିବ ବୋଲି ପରୋକ୍ଷରେ ବିଜେଡି ସନ୍ଦେଶ ଦେବ ବୋଲି ଚର୍ଚ୍ଚା ହେଉଛି ।    ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରାଉରକେଲାରେ ହେବାକୁ ଥିବାବେଳେ ଏହାକୁ ସୁନ୍ଦରଗଡ଼ ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ଅଂଚଳରେ ପହଂଚାଇବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ ମାଧ୍ୟମରେ ପାଳନ କରିବାର ସୁଯୋଗକୁ ବିଜେଡି ନେତାମାନେ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଯାହା ଫଳରେ ବିଭିନ୍ନ ଛକ ଓ ବଜାର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏଲଇଡ଼ି ପରଦା ଯୋଗେ ସିଧାପ୍ରସାରଣ କରିବାର ବ୍ୟବସ୍ଥାକୁ ମଧ୍ୟ ଆପଣାଯାଇଛି | ନେତା ଓ ମନ୍ତ୍ରୀମାନେ ସରକାରୀ କାର୍ଯ୍ୟକ୍ରମ ଅଳରେ ଏବେ ସେଠାରେ ଡେରା ପକାଇଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ସୁନ୍ଦରଗଡ଼ ଜିଲ୍ଲାରେ ଆଶାନୁରୂପ ସଫଳତା ମିଳିନଥିବାରୁ ସଂଗଠନକୁ ସୁଦୃଢ଼ କରିବା ଉପରେ ବିଜେଡି ଗୁରୁତ୍ୱ ଦେଉଛି । ରାଜନୈତିକ ମହଲ ଏହାକୁ କିନ୍ତୁ ଭିନ୍ନ ଅର୍ଥରେ ଦେଖୁଛନ୍ତି | ଅର୍ଥାତ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟବ୍ୟାପୀ ମହିଳା ସମାବେଶ ମିଶନ ଶକ୍ତି କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଏହି ମହିଳା ସମାବେଶରୁ ବିଜେଡି ନିଜର ରାଜନୀତିକ ମାଇଲେଜ୍ ମଧ୍ୟ ନେଇଥିଲା। ମହିଳାଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବିଜେଡି ୨୦୧୭ ଓ ୨୦୧୯ ନିର୍ବାଚନରେ ଭରପୂର ଉପଯୋଗ କଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ‘ଆମ ଗାଁ ଆମ ବିକାଶ’ ନାଁରେ କର୍ମୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ । ଏବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପୁଣି ନିଜର ସ୍ଥିତି ଜାହିର କରିବାକୁ ଲାଗିପଡ଼ିଲାଣି ବିଜୁ ଜନତା ଦଳ | ଆଜି ରାଉରକେଲା ଗସ୍ତରେ ଯାଇ ସ୍ଥାନୀୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ନିକଟ ପଡିଆରେ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ lଏହି ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ ବୋଲି ଅଭିଭାଷଣରେ କହିଛନ୍ତି । ଏହା ସହିତ ୨୫୦ କୋଟିର ପରିମଳ ପ୍ରକଳ୍ପ ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ , ଅନୁରୂପ ଭାବେ ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ ରହିଛି lତେବେ ଏହି କାର୍ଯ୍ୟକ୍ରମରେ ବଣାଇ ରୁ ସି .ପି .ଏମ ରୁ ବିଧାୟକ ହୋଇଥିବା ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | ଅନ୍ୟମାନଙ୍କ ମଧ୍ୟରେ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ,ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଲାଗି ପଡ଼ିଥିଲେ lସାଢେ ଚାରି କୋଟି ଓଡ଼ିଆ ଲୋକଙ୍କ ପ୍ରତିନିଧି ହିସାବରେ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ପ୍ରସ୍ତୁତ କରିବା ଜଣେ ଦାୟତ୍ୱସମ୍ପର୍ଣ୍ଣ ଜନପ୍ରତିନିଧିର ଲକ୍ଷଣ |କିନ୍ତୁ ପ୍ରକଳ୍ପ ଓ ଶିଳାନ୍ୟାସ ରେ ଅନେକ ପ୍ରକଳ୍ପ ବନ୍ଦ ହୋଇ ରହିବା ଓ ଅଧପନ୍ତରିଆ ଭାବେ ପଡିରହିବା ଅତ୍ୟନ୍ତ ଦୁଃଖଦାୟକ |ଏଭଳି ପ୍ରକଳ୍ପର ତାଲିକା ଲେଖିଲେ କାଗଜ ସିନା ପୁରିବ ହେଲେ ତାଲିକା ସରିବନି |ଏବଂ ଆଉ ଗୋଟିଏ ଦିଗ ହେଲା ଯୋଜନଟି ତୃଣମୁଳରେ ସଠିକ ସ୍ଥାନରେ ପହଞ୍ଚୁଛି ନ କେବଳ ଦଳୀୟ କର୍ମୀ ପାଉଛନ୍ତି ? ଏ ଦିଗରେ ଅଧିକ ତତ୍ପର ହେବାର ଆବଶ୍ୟକତା ରହୁଛି | ସୁନ୍ଦରଗଡ ଗସ୍ତ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ଏକ ବାର୍ତ୍ତା ଦେଇଛନ୍ତି “ବିକାଶର ନୂଆଁ ଗଡ୍ ଆଏ ସୁନ୍ଦରଗଡ଼। ପ୍ରାକୃତିକ୍ ସୌନ୍ଦର୍ଯ୍ୟ ଥି ଭରପୁର ଆର୍ ଓଡ଼ିଶା ହକିର୍ ଅଁତରିଶାଲ ଇ ସୁନ୍ଦରଗଡ଼ର ବିକାଶ ଧାରାକେ ଆହୁରି ଉସ୍ରାବାର ଲାଗି ଭିନ୍ ଭିନ୍ ଉନ୍ନୟନ ମୁଲକ୍ ପ୍ରକଳ୍ପର ଶିଲାନ୍ୟାସ୍ ଆରୁ ନିହୀ ପକାବାର୍ ଲାଗି ମୁଇଁ ଆଉଛେଁ। ଇ ଗସ୍ତ ଅବସର ନ ଆପଣଙ୍କ ସାଙ୍ଗେ ଭେଟ୍ ହେବାରକେ ମୋର୍ କେତ୍ ନି କେତେ ଉସନାକ୍”। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏସବୁ ଯୋଜନା କେବେଳ କର୍ମୀମାନଙ୍କୁ ସନ୍ତୁଷ୍ଟ କରି ସୁନ୍ଦରଗଡ ଦଖଲ କରିବା ,ଆଗାମୀ ପଂଚାୟତ ଓ ପୌର ଭୋଟ ହାତେଇବା ପାଇଁ ନା ବାସ୍ତବରେ ସମୃଦ୍ଧ ସୁନ୍ଦରଗଡ ପାଇଁ ସାମୁହିକ ଚିନ୍ତା ? ଏହାର ବିଚାର ଆମର ଶୁଦ୍ଧି ପାଠକ /ପାଠିକା ମାନଙ୍କ ଉପରେ ଛାଡିଲୁ |

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular