ଜଳଦ କୁମାର ତ୍ରିପାଠୀ ଆଗାମୀ ରାଜ୍ୟ ମୁଖ୍ୟ ସୂଚନା କମିସନର ହୋଇଛନ୍ତି। ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବୈଠକରେ ତାମିଲନାଡ଼ୁ କ୍ୟାଡରର ପୂର୍ବତନ ଆଇପିଏସ୍ ଅଫିସର ତଥା ଓଡ଼ିଆ ପୁଅ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ଶ୍ରୀ ତ୍ରିପାଠୀ ଗତ ଜୁନ୍ ୩୦ ତାରିଖରେ ତାମିଲନାଡୁ ଡିଜି ପଦରୁ ଅବସର ନେଇଥିଲେ। ପୂର୍ବରୁ ମଧ୍ୟ ସେ ଚେନ୍ନାଇ ପୁଲିସ କମିସନର ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବି ଖାଲି ପଡ଼ିଥିଲା। ଏଥିପାଇଁ ଜୁଲାଇ ୩୧ରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0