ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ପରମ୍ପରା ମଧ୍ୟରୁ “ରଟେ ବାପ୍ଲା” ଭିନ୍ନ ଓ ଅନ୍ୟତମ ଯାହାର ଅର୍ଥ- ବେଙ୍ଗ ଓ ବେଙ୍ଗୁଲି ମଧ୍ୟରେ ବିବାହ।ଏବେ ବି ବିଶ୍ୱାସ ରହିଛି ଏହି ବିବାହ ଭାଦ୍ରବ ମାସ ଇନ୍ଦ୍ର ପୂର୍ଣ୍ଣିମା ଦିନ କରିବା ଦ୍ୱାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ଥାଆନ୍ତି,ଆଉ ଧରଣୀମାତାଙ୍କୁ ପ୍ରଚୁର ବର୍ଷା ଢାଳନ୍ତି। ଯାହାଫଳରେ ମରୁଡ଼ି ର ଭୟ ନ ରହି ସୁରୁଖୁରୁରେ ଚାଷୀମାନେ ଭଲ ଚାଷ କରି ପାରନ୍ତି ଓ ଭଲ ଫସଲ ମଧ୍ୟ ଅମଳ କରନ୍ତି। ଏଭଳି ଏକ ନିଆରା ବିବାହ କାର୍ଯ୍ୟ ତିନି ଦିନଧରି ଅନୁଷ୍ଠିତ ହୋଇଥିଲା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଟାଙ୍ଗିରିଆ ପାଳ ଗାଁରେ।ଏଠାରେ ଗୋଟିଏ ବେଙ୍ଗ ଏବଂ ଗୋଟିଏ ବେଙ୍ଗୁଲି କୁ ନେଇ ସାନ୍ତାଳୀ ସମ୍ପ୍ରଦାୟର ସମସ୍ତ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ କରିଥିଲେ, ପ୍ରଥମ ଦିନ ବର ରୋଷଣୀ ସହିତ ପାରମ୍ପରିକ ସାନ୍ତାଳୀ ନାଚ ଗୀତରେ ବର ଓ କନ୍ୟା ଦୁଇ ବେଙ୍ଗ କୁ ଗ୍ରାମ ର ଆଖଡ଼ା କୁ ଆଣି ସେଠାରେ ଗୋଟିଏ ଛୋଟ ପୋଖରୀ କରି ସେହିଠାରେ ଉଭୟ ବେଙ୍ଗଙ୍କୁ ବିବାହ କରିଥାନ୍ତି ଏବଂ ଆଉ ଦୁଇ ଦିନ ନାଚ ଗୀତ ଆଉ ଭୋଜିଭାତରେ ବାହାଘର କାର୍ଯ୍ୟ ସମ୍ପନ୍ନ କରି ପୁଣି ଆଣି ପୂର୍ବ ପୋଖରୀ ରେ ଉଭୟଙ୍କୁ ଛାଡି ଦିଅନ୍ତି।ଏହି ବିବାହ ଉତ୍ସବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ସହ ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପାଖା ପାଖି ପାଞ୍ଚ ହଜାର ସାନ୍ତାଳୀ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0