ଛତ୍ରବଜାର ପରିବା ମାର୍କେଟ ଏବେ ସ୍ମାର୍ଟ ଅର୍ବାନ ହାଟର ରୂପ ନେବ। ଏଥିପାଇଁ ସିଏମ୍ସି ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ହାଟରେ ୫୩୩ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ। ମହାନଗର ନିଗମ ପକ୍ଷରୁ ଅର୍ବାନ ହାଟର ନକ୍ସା ପ୍ରସ୍ତୁତ ଶେଷ ହୋଇଥିବା ବେଳେ ଖୁବଶିଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ। ରାଣୀହାଟରୁ ମାତୃଭବନ ମଧ୍ୟରେ ଥିବା ତାଳଦଣ୍ଡା କେନାଲର ବାମ ପାର୍ଶ୍ବର ମାଲଗୋଦାମ ଅର୍ବାନ ବ୍ୟାଙ୍କ ପଛରେ ଥିବା ଦେଢ ଏକରରୁ ଅଧିକ ଜାଗା ଉପରେ ଏହା ତିଆରି ହେବ। ଅର୍ବାନ ହାଟ ପାଇଁ ୩ କୋଟି ୭୪ ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହେବ। ଏଠାରେ ୫୩୩ ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡି ହେବା ସହିତ ଏହା ଉପରେ କଂକ୍ରିଟର ଛାତ ରହିବ। ଜଣେ ବେପାରିଙ୍କୁ ୫ ଫୁଟରେ ୬ ଫୁଟର ସ୍ଥାନ ଦିଆଯିବ। ପରିବା ହାଟକୁ ପ୍ରବେଶ କରିବା ପାଇଁ ଗୋଟିଏ ମୁଖ୍ୟ ରାସ୍ତା ସହିତ ମୋଟ ତିନିଟି ରାସ୍ତା ରହିବ। ଏହା ମଧ୍ୟରେ ୪ଟି ଶୌଚାଳୟ ସହିତ, ଦୁଇଟି କମ୍ୟୁନିଟ୍ ସ୍ପେସ୍ ଓ ପିଇବା ପାଣିର ବ୍ୟବସ୍ଥା ରହିବ। ପରିବା ବ୍ୟବସାୟୀଙ୍କ ପାଇଁ ୧୫ଟି ସ୍ଥାନରେ ପାଣି କଳ ରହିବ। ଅର୍ବାନ ହାଟକୁ ଆସୁଥିବା ଗ୍ରାହକଙ୍କ ପାଇଁ ହାଟ ଆଗରେ ପାର୍କିଂର ବ୍ୟବସ୍ଥା କରାଯିବା ସହିତ ବ୍ୟବସାୟୀଙ୍କ ପାଇଁ ଏହା ମଧ୍ୟରେ ପାର୍କିଂ ସ୍ଥାନ ରହିବ। ସର୍ବପୁରାତନ ପରିବା ମାର୍କେଟ ଛତ୍ରବଜାରକୁ ଗତ ଫେବ୍ରୁଆରି ୧୨ରେ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ହୋଇଥିବା ପରିବା ବ୍ୟବସାୟୀଙ୍କ ପାଇଁ ଏବେ ସିଏମ୍ସି ତରଫରୁ ସ୍ମାର୍ଟ ଅର୍ବାନ ହାଟ ନିର୍ମାଣ ହେବ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0