ଭୁବନେଶ୍ୱର : ଆସନ୍ତା ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ୍-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ୍ ଭୋଟର କିପରି ଭାବରେ ପୋଷ୍ଟାଲ୍ ବାଲାଟ ମାଧ୍ୟମରେ ମତଦାନ କରି ପାରିବେ, ସେ ନେଇ ସମୀକ୍ଷା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଏ ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ନାମାଙ୍କନ ଦାଖଲର ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ୟ୍ୟନ୍ତ ଅର୍ଥାତ ଅକ୍ଟୋବର ୧୪ ସୁଦ୍ଧା ଏହି ଶ୍ରେଣୀର ଭୋଟରମାନେ ପୋଷ୍ଟାଲ୍ ବାଲାଟ ପାଇଁ ଫର୍ମ ୧୨ (ଘ) ଜରିଆରେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବା ଲାଗି କୁହାଯାଇଛି। ଅକ୍ଟୋବର ୨୧ ତାରିଖଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ସଂପୃକ୍ତ ବ୍ୟକ୍ତି ଦେଇଥିବା ଠିକଣାରେ ପୋଷ୍ଟାଲ୍ ବାଲାଟ ଯୋଗାଇ ଦିଆଯିବ। ସମ୍ପୁର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ପୋଷ୍ଟାଲ ବାଲାଟକୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ। ଏହି ସଂପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଭୋଟ ଗ୍ରହଣ ଦିବସର ଏକ ଦିନ ପୂର୍ବରୁ ସରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0