spot_img

ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆବଶ୍ୟକ ପ୍ରସ୍ତୁତି ଜାରି ରଖିଛନ୍ତି। ଆଜି ଭୁବନେଶ୍ୱରରେ ସିଇଓ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଲୋହାନୀ ଜଣାଇଥିଲେ ଯେ ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳଙ୍କ ସହ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରାଯିବ। ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ଉପରେ ନିଷେଧ କରାଯାଇଛି। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଯଦି କୌଣସି ରାଜନୈତିକ ଦଳ ପ୍ରାର୍ଥୀ କରାନ୍ତି, ତେବେ ସଂପୃକ୍ତ ଦଳକୁ କୈଫୟତ ଦେବାକୁ ପଡ଼ିବ ଓ ଜନସାଧାରଣଙ୍କ ଅବଗତି ନିମନ୍ତେ ସଂପୃକ୍ତ ପ୍ରାର୍ଥୀ ଅତି କମ୍ରେ ତିନି ଥର ଖବରକାଗଜ ଓ ଟିଭି ଜରିଆରେ ପ୍ରଚାର, ପ୍ରସାର କରାଇବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଏଥର ପ୍ରତି ବୁଥରେ ସର୍ବାଧିକ ଏକ ହଜାର ଭୋଟର୍ ଭୋଟ୍ ଦେଇପାରିବେ। ଏଥି ନିମନ୍ତେ ସେହି ସ୍ଥାନରେ ମଧ୍ୟ ଭୋଟର୍ମାନଙ୍କ ସୁବିଧା ନିମନ୍ତେ ଅତିରିକ୍ତ ବୁଥ୍ମାନ ଖୋଲାଯାଇଛି। ଭୋଟ୍ ଗ୍ରହଣ ପୂର୍ବରୁ ସମସ୍ତ ବୁଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବାର ବ୍ୟବସ୍ଥା କରାଯାଇଛି। ରାଜନୈତିକ ଦଳମାନେ ନିର୍ବାଚନ ପ୍ରଚାର କଲା ବେଳେ କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ବାଧ୍ୟତାମୂଳକ ଅଟେ। ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସର୍ବାଧିକ ଦୁଇ ଜଣ ବ୍ୟକ୍ତି ରହିପାରିବେ। ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ବ୍ୟକ୍ତି ଯାଇପାରିବେ। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଶ୍ରୀ ଲୋହାନୀ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular